
ନଭେମ୍ବର ୧ ତାରିଖରେ ଦିଲ୍ଲୀର ରାମଲୀଳା ମୈଦାନରେ ହେବାକୁ ଯାଉଛି କଂଗ୍ରେସ ନେତୃତ୍ୱାଧୀନ ଇଣ୍ଡିଆ ମେଣ୍ଟର ପ୍ରତିବାଦ ରାଲି। ରାଲିରେ ବିପୁଳ ଜନସମାଗମ ହେବାର ସମ୍ଭାବନାକୁ ଦୃଷ୍ଟିରେ ରଖି ଦିଲ୍ଲୀ ପୁଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ପ୍ରସ୍ତୁତି କରାଯାଇଛି।ରାଲିସ୍ଥଳକୁ ୧୪ଟି ଜୋନ୍ରେ ବିଭକ୍ତ କରାଯାଇଛି। ପ୍ରତ୍ୟେକ ଜୋନ୍ର ଦାୟିତ୍ୱରେ ରହିବେ ଜଣେ ଆସିଷ୍ଟାଣ୍ଟ କମିଶନର ଅଫ୍ ପୁଲିସ ବା ଏସିପି ପାହ୍ୟାର ଅଧିକାରୀ। ଅନ୍ୟପଟେ, ଅତିରିକ୍ତ ଡେପୁଟି କମିଶନର ପାହ୍ୟାର ଅଧିକାରୀ ଦୁଇଟି ଜୋନ୍ର ସୁରକ୍ଷା ବ୍ୟବସ୍ଥା ତଦାରଖ କରିବେ।
ମୋଟ ୩ ହଜାର ୫୦୦ ପୁଲିସ କର୍ମଚାରୀଙ୍କ ସହ ୧୦ କମ୍ପାନି ରିଜର୍ଭ ଫୋର୍ସ ମଧ୍ୟ ମୁତୟନ ହେବେ। ରାଲିସ୍ଥଳ ଓ ଏହାର ଆଖପାଖ ଅଞ୍ଚଳ ଉପରେ ନଜର ରଖିବାକୁ ୨୦୦ରୁ ଅଧିକ ସିସିଟିଭି କ୍ୟାମେରା, ପୁଲିସ କର୍ମଚାରୀଙ୍କ ବଡି କ୍ୟାମେରା ଏବଂ ନିରୀକ୍ଷଣ ବ୍ୟବସ୍ଥା ଥିବା ଗାଡ଼ି ବ୍ୟବହାର କରାଯିବ। ଏଥିସହ ଏକ ସ୍ୱତନ୍ତ୍ର କଣ୍ଟ୍ରୋଲ୍ ରୁମ୍ ମଧ୍ୟ ପ୍ରସ୍ତୁତ କରାଯାଉଛି।ଏହି ରାଲିର ମୁଖ୍ୟ ପ୍ରସଙ୍ଗ ହେଉଛି ସ୍ୱତନ୍ତ୍ର ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା ବା ଏସଆଇଆର। ଏହାକୁ ନେଇ ବିରୋଧୀ ଦଳଗୁଡ଼ିକ କେନ୍ଦ୍ରୀୟ ନିର୍ବାଚନ ବ୍ୟବସ୍ଥା ଉପରେ ପ୍ରଶ୍ନ ଉଠାଇବା ସହ ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବି କରୁଛନ୍ତି।
ବିରୋଧୀ ନେତାଙ୍କ ଦାବି ଅନୁଯାୟୀ, ଏହି ରାଲିରେ ୧୦ ଲକ୍ଷରୁ ଅଧିକ ଲୋକ ଯୋଗ ଦେଇପାରନ୍ତି। ଏତେ ସଂଖ୍ୟକ ଲୋକଙ୍କ ଯାତାୟାତ ପାଇଁ ୧୫ ହଜାରରୁ ୨୦ ହଜାର ବସ୍ ଆସିବା ସହ ରାଜନୈତିକ ନେତାଙ୍କ ବ୍ୟକ୍ତିଗତ ଗାଡ଼ି ମଧ୍ୟ ପହଞ୍ଚିବାର ଆକଳନ କରାଯାଇଛି।ରାଲିକୁ ଶାନ୍ତିପୂର୍ଣ୍ଣ ଭାବେ ସମ୍ପନ୍ନ କରିବା, ଆଇନଶୃଙ୍ଖଳା ବଜାୟ ରଖିବା ଏବଂ ଟ୍ରାଫିକ୍ ସମସ୍ୟାକୁ ନିୟନ୍ତ୍ରଣ କରିବା ପାଇଁ ଦିଲ୍ଲୀ ପୁଲିସ ରାଲି ଆୟୋଜକ ଓ ସମ୍ପୃକ୍ତ ବିଭାଗଗୁଡ଼ିକ ସହ ସମନ୍ୱୟ ରଖି କାର୍ଯ୍ୟ କରୁଛି। ରାଲି ପାଇଁ ପୁଲିସ ପକ୍ଷରୁ ଶୁକ୍ରବାର ଏନଓସି ମଧ୍ୟ ପ୍ରଦାନ କରାଯାଇଛି।




