ରାହୁଲ ଗାନ୍ଧିଙ୍କ ଦୁର୍ଘଟଣା !

ରାହୁଲ ଗାନ୍ଧିଙ୍କ କନଭୟରେ ଭୟଙ୍କର ଦୁର୍ଘଟଣା! ଆମ୍ବୁଲାନ୍ସ ସହ ଧକ୍କା ହେଲା କନଭୟରେ ଥିବା ଗାଡ଼ି। ଗୋଟିଏ ପରେ ଗୋଟିଏ ପାଞ୍ଚଟି ଗାଡ଼ି ପରସ୍ପରକୁ ପିଟିଲେ। ଦୁର୍ଘଟଣାରେ କଂଗ୍ରେସ କର୍ମୀ ଓ ସୁରକ୍ଷାକର୍ମୀଙ୍କ ସମେତ କିଛି ଲୋକ ଆହତ ହୋଇଛନ୍ତି। ତେବେ ଏହି ଦୁର୍ଘଟଣାରେ ରାହୁଲ ଗାନ୍ଧି ସୁରକ୍ଷିତ ଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି। ଉତ୍ତରପ୍ରଦେଶର ପୂର୍ବାଞ୍ଚଳ ଏକ୍ସପ୍ରେସ୍ୱେରେ ରାହୁଲ ଗାନ୍ଧିଙ୍କ କନଭୟ ଦୁର୍ଘଟଣାଗ୍ରସ୍ତ। ହଲିୟାପୁର ଅଞ୍ଚଳରେ ଆମ୍ବୁଲାନ୍ସ ସହ କନଭୟର ଗାଡ଼ି ଧକ୍କା ହେବା ପରେ ପଛକୁ ପଛ ପାଞ୍ଚଟି ଗାଡ଼ି ପରସ୍ପରକୁ ପିଟିଥିଲେ। ଏହି ଦୁର୍ଘଟଣାରେ କିଛି ଲୋକ ଆହତ ହୋଇଛନ୍ତି। ତେବେ ରାହୁଲ ଗାନ୍ଧି ସୁରକ୍ଷିତ ଅଛନ୍ତି।
ସୂଚନା ଅନୁଯାୟୀ, ରାହୁଲ ଗାନ୍ଧି ଲକ୍ଷ୍ନୌ ବିମାନବନ୍ଦରରେ ପହଞ୍ଚିବା ପରେ ତାଙ୍କ କନଭୟ ସୁଲତାନପୁର ଅଭିମୁଖେ ବାହାରିଥିଲା। ଲକ୍ଷ୍ନୌଠାରୁ ପ୍ରାୟ ୧୩୫ କିଲୋମିଟର ଦୂର ସୁଲତାନପୁର ଯିବା ରାସ୍ତାରେ ହଲିୟାପୁର ନିକଟରେ ଘଟିଥିଲା ଏହି ଅଘଟଣ। ଗନ୍ତବ୍ୟସ୍ଥଳଠାରୁ ପ୍ରାୟ ୩୫ କିଲୋମିଟର ପୂର୍ବରୁ ଦୁର୍ଘଟଣାର ଶିକାର ହୋଇଥିଲା କନଭୟ।ଦୁର୍ଘଟଣାର ସିସିଟିଭି ଦୃଶ୍ୟରେ ଆମ୍ବୁଲାନ୍ସଟି ଏକ୍ସପ୍ରେସ୍ୱେର ଦ୍ରୁତଗାମୀ ଲେନ୍ରେ ଯାଉଥିବା ଦେଖାଯାଇଛି। ପରେ ଆମ୍ବୁଲାନ୍ସଟି ହଠାତ୍ ବ୍ରେକ୍ ମାରିବାରୁ ପଛରେ ଆସୁଥିବା କନଭୟର ଗାଡ଼ି ଧକ୍କା ଦେଇଥିବା ସୂଚନା ମିଳିଛି। ଏହାପରେ ପଛରେ ଥିବା ଅନ୍ୟ ଗାଡ଼ିଗୁଡ଼ିକ ମଧ୍ୟ ପରସ୍ପରକୁ ପିଟିଥିଲେ। ଧକ୍କାରେ ଏକ ସ୍କର୍ପିଓ ଗାଡ଼ିର ସାମ୍ନା ଭାଗ କ୍ଷତିଗ୍ରସ୍ତ ହୋଇଛି।




