
ହସ୍ପିଟାଲର ପୋଷ୍ଟମର୍ଟମ୍ ରୁମ୍ରେ ମଦ ପାର୍ଟି ! ଡ୍ୟୁଟି ସମୟରେ ଡାକ୍ତର ମଦ୍ୟପାନ କରୁଥିବା ନେଇ ସାଂଘାତିକ ଅଭିଯୋଗ। ସୋସିଆଲ ମିଡିଆରେ ଭିଡିଓ ଭାଇରାଲ୍ ହେବା ପରେ ସମ୍ପୃକ୍ତ ଡାକ୍ତରଙ୍କୁ ନିଲମ୍ବିତ କରାଯାଇଛି। ଏଥିସହ ଆରମ୍ଭ ହୋଇଛି ବିଭାଗୀୟ ତଦନ୍ତ।ମହାରାଷ୍ଟ୍ରର ପିମ୍ପ୍ରି-ଚିଞ୍ଚୱାଡ୍ ମହାନଗର ନିଗମ ଅଧୀନରେ ଥିବା ୟଶୱନ୍ତରାଓ ଚଭନ୍ ମେମୋରିଆଲ୍ ହସ୍ପିଟାଲରୁ ଆସିଛି ଏଭଳି ଅଭାବନୀୟ ଘଟଣା।
ସୂଚନା ଅନୁସାରେ, ଗୁରୁବାର ରାତିରେ ହସ୍ପିଟାଲର ପୋଷ୍ଟମର୍ଟମ୍ ରୁମ୍ରେ ମଦ୍ୟପାନ କରାଯାଉଥିବା ଅଭିଯୋଗ ହୋଇଛି। ନିଜ ପରିବାରର ଜଣେ ମୃତକଙ୍କ ମୃତ୍ୟୁ ପ୍ରମାଣପତ୍ର ପାଇଁ ଜଣେ ବ୍ୟକ୍ତି ରାତିସାରା ହସ୍ପିଟାଲ ବାହାରେ ଅପେକ୍ଷା କରିଥିଲେ। ଏହି ସମୟରେ ସେ ପୋଷ୍ଟମର୍ଟମ୍ ରୁମ୍ ଭିତରକୁ ଦେଖିବା ପରେ ଡ୍ୟୁଟିରେ ଥିବା ଡାକ୍ତର ମଦ୍ୟପାନ କରୁଥିବା ଦେଖିଥିବା ଅଭିଯୋଗ କରିଛନ୍ତି। ଏହି ଘଟଣାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍ ହୋଇଥିଲା।
ଭିଡିଓରେ ଏକ ଟେବୁଲ୍ ଉପରେ ଖାଦ୍ୟ ସାମଗ୍ରୀ ଏବଂ ଏକ ବୋତଲ ଥିବା ଦେଖିବାକୁ ମିଳିଛି। ଏହା ପରେ ଘଟଣାକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା।ମାମଲାରେ ଡାକ୍ତର ବୈଭବ ଅବିନାଶ ମହସ୍କେଙ୍କୁ ଶୁକ୍ରବାରଠାରୁ ତୁରନ୍ତ ନିଲମ୍ବିତ କରାଯାଇଛି। ମହାନଗର ନିଗମର ଅତିରିକ୍ତ କମିଶନର କୁଲଦୀପ ଜଙ୍ଗମ ପ୍ରଥମେ ସମ୍ପୃକ୍ତ ଡାକ୍ତର ଓ କର୍ମଚାରୀଙ୍କୁ ନୋଟିସ୍ ଜାରି କରିଥିଲେ। ସେମାନଙ୍କୁ ଲିଖିତ ଜବାବ ଦେବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଥିଲା।
ଅନ୍ୟପଟେ, ମହାନଗର ନିଗମ କମିଶନର ବିଜୟ ସୂର୍ଯ୍ୟବଂଶୀଙ୍କ ନିର୍ଦ୍ଦେଶରେ ଡାକ୍ତରଙ୍କ ବିରୋଧରେ ବିଭାଗୀୟ ତଦନ୍ତ ଆରମ୍ଭ ହୋଇଛି। ଏଭଳି ଆଚରଣ ମହାରାଷ୍ଟ୍ର ସିଭିଲ୍ ସର୍ଭିସ୍ ନିୟମର ଉଲ୍ଲଂଘନ ବୋଲି ମହାନଗର ନିଗମ ପକ୍ଷରୁ କୁହାଯାଇଛି।ଆସନ୍ତା ୧୫ ଦିନ ମଧ୍ୟରେ ଡାକ୍ତରଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ କରାଯିବ। ଏହା ପରେ ତଦନ୍ତ ପ୍ରକ୍ରିୟାକୁ ଆଗକୁ ବଢ଼ାଯିବ। ନିଲମ୍ବନ ଅବଧିରେ ଡାକ୍ତର ମହସ୍କେ ପିମ୍ପ୍ରି ମହାନଗର ନିଗମ ମୁଖ୍ୟାଳୟ ଛାଡ଼ି ଯାଇପାରିବେ ନାହିଁ। ଏଥିସହ ଅନ୍ୟ କୌଣସି ଚାକିରି କିମ୍ବା ବ୍ୟବସାୟ କରିବା ଉପରେ ମଧ୍ୟ କଟକଣା ରହିଛି।
ତେବେ ପୋଷ୍ଟମର୍ଟମ୍ ରୁମ୍ ଭଳି ଏକ ସମ୍ବେଦନଶୀଳ ସ୍ଥାନରେ ଏଭଳି ଅଭିଯୋଗ ସାମ୍ନାକୁ ଆସିବା ପରେ ହସ୍ପିଟାଲ ପ୍ରଶାସନର କାର୍ଯ୍ୟଶୈଳୀକୁ ନେଇ ଉଠିଛି ପ୍ରଶ୍ନ। ତଦନ୍ତ ପରେ ଏହି ଘଟଣାରେ ଆଉ କେଉଁ କେଉଁ ପଦକ୍ଷେପ ନିଆଯାଉଛି, ତାହା ଉପରେ ଏବେ ସମସ୍ତଙ୍କ ନଜର।




