ପାଇଖାନା ପାଣିରେ ଗୁପଚୁପ୍ ପାଣି !ଫୁଡ୍ ସେଫ୍ଟି ବିଭାଗର ଚଢ଼ାଉ

ଗୁପଚୁପ୍ କାହାକୁ ବା ପସନ୍ଦ ନୁହେଁ । ଗୁପଚୁପ୍ କଥା ଶୁଣିଲେ ପାଟିରୁ ଲାଳ ବାହାରି ଆସେ । କିନ୍ତୁ ଯଦି ରାସ୍ତାକଡ଼ରେ ଗୁପଚୁପ୍ ଖାଉଛନ୍ତି ତା’ହେଲେ ହୋଇଯାଆନ୍ତୁ ସାବଧାନ ! ଭୁବନେଶ୍ୱର ୟୁନିଟ୍-୩ ଅଞ୍ଚଳରେ ଗୁପଚୁପ୍ ପ୍ରସ୍ତୁତିକୁ ନେଇ ସାମ୍ନାକୁ ଆସିଛି ସାଙ୍ଘାତିକ ଚିତ୍ର । ପାଇଖାନା ପାଖର ପାଣିରେ ଖଟାପାଣି ପ୍ରସ୍ତୁତ ହେଉଥିବା ବେଳେ ପଚା ଆଳୁ ଓ ପୋକା ଲାଗିଥିବା ମଟରରେ ମସଲା ପ୍ରସ୍ତୁତ ହେଉଥିବା ଅଭିଯୋଗ ହୋଇଛି । ଏପରିକି କଳା କିଟିକିଟି ତେଲରେ ଗୁପଚୁପ୍ ଛଣାଯାଉଥିବା ଦୃଶ୍ୟ ମଧ୍ୟ ଫୁଡ୍ ସେଫ୍ଟି ବିଭାଗର ଚଢ଼ାଉ ବେଳେ ସାମ୍ନାକୁ ଆସିଛି ।
ୟୁନିଟ୍-୩ର ଏକ ଗଳିରେ ଥିବା ଏକାଧିକ ଘରେ ଗୁପଚୁପ୍ ତିଆରି ହେଉଥିବା ନେଇ ସୂଚନା ପାଇ ଫୁଡ୍ ସେଫ୍ଟି ବିଭାଗର ଟିମ୍ ଚଢ଼ାଉ କରିଥିଲା। ଚଢ଼ାଉ ବେଳେ ପ୍ରସ୍ତୁତି ସ୍ଥଳର ପରିବେଶ ଦେଖି ଅଧିକାରୀମାନେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଥିଲେ। ଯେଉଁଠାରେ ଖାଦ୍ୟ ପ୍ରସ୍ତୁତ ହେଉଥିଲା, ସେଠାରେ ସ୍ୱଚ୍ଛତା ଓ ପରିମଳର କୌଣସି ବ୍ୟବସ୍ଥା ନଥିବା ଅଭିଯୋଗ ରହିଛି । ଘଟଣାସ୍ଥଳରୁ କଳା ତେଲ, ଖଟାପାଣି ଓ ଗୁପଚୁପ୍ର ନମୁନା ସଂଗ୍ରହ କରିଛି ଫୁଡ୍ ସେଫ୍ଟି ବିଭାଗ। ଏହି ନମୁନାଗୁଡ଼ିକୁ ପରୀକ୍ଷା ପାଇଁ ଲାବୋରେଟୋରୀକୁ ପଠାଯାଇଛି। ରିପୋର୍ଟ ଆସିବା ପରେ ଖାଦ୍ୟର ମାନ ଓ ଏଥିରେ ବ୍ୟବହୃତ ସାମଗ୍ରୀ ସମ୍ପର୍କରେ ଅଧିକ ତଥ୍ୟ ସ୍ପଷ୍ଟ ହେବ।




