ଓଡ଼ିଶାବାଣିଜ୍ୟ

ଓମଫେଡ ୨୯ତମ ସାଧାରଣ ପରିଷଦ ବୈଠକ । ୧୩୦୦ କୋଟି ଟଙ୍କା କାରବାର ଲକ୍ଷ୍ୟ

ରାଜ୍ୟର ଦୁଗ୍ଧ ଚାଷୀଙ୍କ ଆର୍ଥିକ ସଶକ୍ତୀକରଣ ସହ ଓମଫେଡର ବ୍ୟବସାୟିକ ବିକାଶକୁ ଆହୁରି ତ୍ୱରାନ୍ୱିତ କରିବା ଲକ୍ଷ୍ୟରେ ଓମଫେଡର ୨୯ତମ ସାଧାରଣ ପରିଷଦ ବୈଠକ ଭୁବନେଶ୍ୱର ସହିଦନଗରସ୍ଥିତ ମୁଖ୍ୟାଳୟରେ ଅନୁଷ୍ଠିତ ହୋଇଛି। ବୈଠକରେ ଆଗାମୀ ଦିନରେ ଓମଫେଡ ବ୍ୟବସାୟିକ ପରିସରକୁ ଆହୁରି ବ୍ୟାପକ କରିବା ସହ ଦୁଗ୍ଧ ସଂଗ୍ରହ ଓ ବିପଣନ ବ୍ୟବସ୍ଥାକୁ ସୁଦୃଢ଼ କରିବା ନେଇ ବିସ୍ତୃତ ଆଲୋଚନା ହୋଇଛି। ଏଥିସହ ୨୦୨୬-୨୭ ଆର୍ଥିକ ବର୍ଷରେ ଓମ୍ଫେଡର କାରବାର ୧୩୦୦ କୋଟି ଟଙ୍କାରେ ପହଞ୍ଚାଇବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି।

ଓମଫେଡର ସଭାପତି କିଶୋରଚନ୍ଦ୍ର ପ୍ରଧାନୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ସାଧାରଣ ପରିଷଦ ବୈଠକରେ ପରିଚାଳନା ନିର୍ଦ୍ଦେଶକ ଶ୍ରୀ ବିଜୟ ଅମୃତା କୁଲାଙ୍ଗେଙ୍କ ସମେତ ରାଜ୍ୟର ବିଭିନ୍ନ ଅଞ୍ଚଳରୁ ସାଧାରଣ ପରିଷଦର ସଦସ୍ୟ ଓ ସଦସ୍ୟାମାନେ ଯୋଗଦେଇଥିଲେ। ବୈଠକରେ ଓମ୍ଫେଡର ବର୍ତ୍ତମାନର କାର୍ଯ୍ୟକଳାପ, ଆର୍ଥିକ ସ୍ଥିତି, ଦୁଗ୍ଧ ସଂଗ୍ରହ, ବିପଣନ ବ୍ୟବସ୍ଥା ଏବଂ ଭବିଷ୍ୟତ କାର୍ଯ୍ୟପନ୍ଥା ସମ୍ପର୍କରେ ବିସ୍ତୃତ ମତବିନିମୟ ହୋଇଥିଲା।

ବୈଠକ ଆରମ୍ଭରେ ୨୮ତମ ସାଧାରଣ ପରିଷଦ ବୈଠକରେ ଗ୍ରହଣ କରାଯାଇଥିବା ନିଷ୍ପତ୍ତିଗୁଡ଼ିକର ବୈଧିକରଣ କରାଯାଇଥିଲା। ପୂର୍ବ ବୈଠକରେ ନିଆଯାଇଥିବା ନିଷ୍ପତ୍ତିଗୁଡ଼ିକର କାର୍ଯ୍ୟାନ୍ୱୟନର ସ୍ଥିତି ନେଇ ମଧ୍ୟ ସମୀକ୍ଷା କରାଯାଇଥିଲା। ଏହାପରେ ବିଭିନ୍ନ ଆର୍ଥିକ ବର୍ଷ ପାଇଁ ମହାସଂଘର ସମୀକ୍ଷିତ ହିସାବ ଉପସ୍ଥାପନ କରାଯାଇଥିଲା। ଆର୍ଥିକ କାର୍ଯ୍ୟକଳାପ ଓ ସଂଗଠନର ବ୍ୟବସାୟିକ ପ୍ରଗତି ସମ୍ପର୍କରେ ମଧ୍ୟ ସଦସ୍ୟମାନଙ୍କ ମଧ୍ୟରେ ଆଲୋଚନା ହୋଇଥିଲା। ଗତ ଦୁଇ ବର୍ଷ ମଧ୍ୟରେ ଓମଫେଡର କାରବାରରେ ବୃଦ୍ଧି ଘଟିଥିବାରୁ ବୈଠକରେ ଏନେଇ ସନ୍ତୋଷ ପ୍ରକାଶ କରାଯାଇଥିଲା। ଏହି ଅଭିବୃଦ୍ଧିକୁ ଆଧାର କରି ଆଗାମୀ ଦିନରେ ଓମଫେଡର ବ୍ୟବସାୟିକ କାର୍ଯ୍ୟକଳାପକୁ ଆହୁରି ବିସ୍ତାର କରିବା ଉପରେ ଗୁରୁତ୍ୱ ଦିଆଯାଇଛି।

ଓମଫେଡର ବ୍ୟବସାୟିକ ପରିସର ଯେତେ ବଢ଼ିବ, ତାହାର ସୁଫଳ ଦୁଗ୍ଧ ଚାଷୀଙ୍କ ନିକଟରେ ପହଞ୍ଚାଇବା ଦିଗରେ ମଧ୍ୟ ଧ୍ୟାନ ଦେବାକୁ କୁହାଯାଇଛି। ବଜାରରେ ଓମ୍ଫେଡ ଉତ୍ପାଦର ଉପଲବ୍ଧତା ବଢ଼ାଇବା ଉପରେ ମଧ୍ୟ ବୈଠକରେ ଆଲୋଚନା ହୋଇଛି। ଦୁଗ୍ଧଜାତ ପଦାର୍ଥର ଗୁଣବତ୍ତା ମଧ୍ୟ ବଜାୟ ରଖିବା ଦିଗରେ ଆଲୋଚନା କରାଯାଇଥିଲା ।

Related Articles

Back to top button