ଓଡ଼ିଶାରାଜନୀତି

ଗଣତନ୍ତ୍ର ଓ ଓଡ଼ିଶାର ଅଧିକାର ପାଇଁ ଓଡିଶା ବନ୍ଦ

ଆସନ୍ତା ୮ ଅକ୍ଟୋବରରେ ଓଡ଼ିଶା ବନ୍ଦ ପାଳନ ପାଇଁ ଆହ୍ୱାନ ଦେଇଛି ଇଣ୍ଡିଆ ବ୍ଲକ୍। ଭୁବନେଶ୍ୱରରେ ଆୟୋଜିତ ବୈଠକ ପରେ ଏନେଇ ଘୋଷଣା କରାଯାଇଛି।ଚାରି ଦଫା ଦାବିକୁ ନେଇ ଅକ୍ଟୋବର ୨ରୁ ୮ ତାରିଖ ପର୍ଯ୍ୟନ୍ତ ‘ଗଣତନ୍ତ୍ର ବଞ୍ଚାଅ ସପ୍ତାହ’ ପାଳନ କରାଯିବ ବୋଲି ଇଣ୍ଡିଆ ବ୍ଲକ୍ ପକ୍ଷରୁ କୁହାଯାଇଛି।ଇଣ୍ଡିଆ ବ୍ଲକ୍‌ର ଘୋଷଣା ଅନୁଯାୟୀ, ଆନ୍ଦୋଳନର ମୁଖ୍ୟ ଦାବିଗୁଡ଼ିକ ହେଉଛି—

ପ୍ରଥମତଃ, ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କୁ ପଦରୁ ହଟାଇବା।ଦ୍ୱିତୀୟତଃ, MMDR Amendment Act, 2026କୁ ରଦ୍ଦ କରିବା। ଇଣ୍ଡିଆ ବ୍ଲକ୍‌ର ଦାବି, ଏହି ପ୍ରସଙ୍ଗ ଓଡ଼ିଶାର ଖଣିଜ ସମ୍ପଦ, ରାଜସ୍ୱ ଅଧିକାର, ଆଦିବାସୀ ଓ ଖଣି ଶ୍ରମିକଙ୍କ ସ୍ୱାର୍ଥ ସହ ଜଡ଼ିତ।ତୃତୀୟତଃ, ପାଠ୍ୟପୁସ୍ତକ ଯୋଗାଣରେ ଅବ୍ୟବସ୍ଥା ପାଇଁ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ଇସ୍ତଫା ଦାବି।ଏବଂ ଚତୁର୍ଥ ଦାବି ହେଉଛି, ବନ୍ୟାକ୍ଷତିଗ୍ରସ୍ତ ସମସ୍ତଙ୍କୁ ପର୍ଯ୍ୟାପ୍ତ ଓ ଯଥୋଚିତ କ୍ଷତିପୂରଣ ପ୍ରଦାନ।

ଅକ୍ଟୋବର ୨ରୁ ୮ ତାରିଖ ମଧ୍ୟରେ ବିଭିନ୍ନ ପର୍ଯ୍ୟାୟରେ କାର୍ଯ୍ୟକ୍ରମ କରାଯିବ।ଅକ୍ଟୋବର ୨ରେ ଜିଲ୍ଲାସ୍ତରୀୟ ମିଳିତ ବୈଠକ ଓ ସାମ୍ବାଦିକ ସମ୍ମିଳନୀ ହେବ।୩ ଅକ୍ଟୋବରରେ ବ୍ଲକ୍‌ସ୍ତରୀୟ ପ୍ରସ୍ତୁତି ବୈଠକ ଏବଂ ସାମ୍ବାଦିକ ସମ୍ମିଳନୀ ଆୟୋଜନ କରାଯିବ।୩ରୁ ୮ ଅକ୍ଟୋବର ପର୍ଯ୍ୟନ୍ତ ସ୍ଥାନୀୟ ସଭା, ପଦଯାତ୍ରା ଓ ଜନଜାଗରଣ କାର୍ଯ୍ୟକ୍ରମ କରାଯିବ।୬ ଅକ୍ଟୋବରରେ ପ୍ରତ୍ୟେକ ଜିଲ୍ଲାରେ ବିଶାଳ ପଦଯାତ୍ରା ଓ ଜନସଭା ଏବଂ ୭ ଅକ୍ଟୋବରରେ ରାଜଧାନୀ ସମେତ ଜିଲ୍ଲା ଓ ବ୍ଲକ୍ ମୁଖ୍ୟାଳୟରେ ମଶାଲ ଶୋଭାଯାତ୍ରା ପାଇଁ ଆହ୍ୱାନ ଦିଆଯାଇଛି।

ତେବେ ଏହି ଆନ୍ଦୋଳନର ମୁଖ୍ୟ ପର୍ଯ୍ୟାୟ ହେବ ଅକ୍ଟୋବର ୮ ତାରିଖର ଓଡ଼ିଶା ବନ୍ଦ।ଇଣ୍ଡିଆ ବ୍ଲକ୍‌ର ଘୋଷଣା ଅନୁଯାୟୀ, ବନ୍ଦ ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଚାଲିବ।ଛାତ୍ର, ଯୁବ, ମହିଳା, କୃଷକ, ଶ୍ରମିକ, ବ୍ୟବସାୟୀ, ପରିବହନ କ୍ଷେତ୍ର, ଆଇନଜୀବୀ, ବୁଦ୍ଧିଜୀବୀଙ୍କ ସମେତ ସମସ୍ତଙ୍କୁ ବନ୍ଦରେ ସାମିଲ ହେବାକୁ ଇଣ୍ଡିଆ ବ୍ଲକ୍ ପକ୍ଷରୁ ଆହ୍ୱାନ କରାଯାଇଛି।ଦଳ ପକ୍ଷରୁ ବନ୍ଦକୁ ଶାନ୍ତିପୂର୍ଣ୍ଣ ରଖିବାକୁ ମଧ୍ୟ ଆହ୍ୱାନ ଦିଆଯାଇଛି। ଅତ୍ୟାବଶ୍ୟକ ସେବାଗୁଡ଼ିକୁ ବନ୍ଦରୁ ବାଦ୍ ଦିଆଯିବ ବୋଲି କୁହାଯାଇଛି।

ଭୁବନେଶ୍ୱର କଂଗ୍ରେସ ଭବନରେ ରାଜ୍ୟ କଂଗ୍ରେସ ସଭାପତି ଭକ୍ତ ଚରଣ ଦାସଙ୍କ ଅଧ୍ୟକ୍ଷତାରେ ଇଣ୍ଡିଆ ବ୍ଲକ୍‌ର ବୈଠକ ଅନୁଷ୍ଠିତ ହୋଇଥିଲା।ବୈଠକରେ CPI, CPI(M), CPI(ML)-Liberation, Forward Bloc, NCP (Sharad Pawar), RJD ଏବଂ ସମାଜବାଦୀ ପାର୍ଟି ସମେତ ବିଭିନ୍ନ ଦଳର ରାଜ୍ୟସ୍ତରୀୟ ନେତାମାନେ ଯୋଗ ଦେଇଥିବା ପ୍ରେସ୍ ନୋଟ୍‌ରେ ଦର୍ଶାଯାଇଛି।ବୈଠକ ପରେ ନେତୃବୃନ୍ଦ ଗଣମାଧ୍ୟମକୁ ସମ୍ବୋଧିତ କରି “ଭୋଟ୍ ଅଧିକାର ବଞ୍ଚାଅ – ଦେଶ ବଞ୍ଚାଅ, ଗଣତନ୍ତ୍ର ବଞ୍ଚାଅ, ସମ୍ବିଧାନ ବଞ୍ଚାଅ” ନାରା ସହ ଆନ୍ଦୋଳନକୁ ରାଜ୍ୟବ୍ୟାପୀ କରିବାକୁ ଆହ୍ୱାନ କରିଥିଲେ।ତେବେ ଅକ୍ଟୋବର ୮ର ଓଡ଼ିଶା ବନ୍ଦକୁ ନେଇ ରାଜ୍ୟରେ ରାଜନୈତିକ ତାତି ବଢ଼ିଛି। ବନ୍ଦର ପ୍ରଭାବ ରାଜ୍ୟର ଜନଜୀବନ ଓ ବିଭିନ୍ନ ସେବା ଉପରେ କିପରି ପଡ଼ିବ, ତାହା ଅକ୍ଟୋବର ୮ ତାରିଖରେ ସ୍ପଷ୍ଟ ହେବ।

Related Articles

Back to top button