
ଭୁବନେଶ୍ୱର ,ପିଆଜ କିଲୋ ପିଛା ୬୦ ଟଙ୍କାରେ ବିକ୍ରି ହେଉଛି। ପିଆଜ ଉତ୍ପାଦନ କରୁଥିବା ପ୍ରମୁଖ ରାଜ୍ୟରୁ, ଯୋଗାଣ ବାଧାପ୍ରାପ୍ତ ହେବା ଯୋଗୁଁ, ଦର ବଢ଼ିଥିବା କୁହାଯାଉଛି।ଗତ ଏକ ମାସ ମଧ୍ୟରେ ପିଆଜ ଦର କ୍ୱିଣ୍ଟାଲ ପିଛା ପ୍ରାୟ ୨,୨୦୦ ଟଙ୍କାରୁ ବଢ଼ି ୪,୦୦୦ ଟଙ୍କାରେ ପହଞ୍ଚିଛି।ଓଡ଼ିଶା ପିଆଜ ପାଇଁ ମୁଖ୍ୟତଃ ମହାରାଷ୍ଟ୍ରର ନାସିକ ଓ କର୍ଣ୍ଣାଟକର, ବେଙ୍ଗାଲୁରୁ ଉପରେ ନିର୍ଭର କରେ। କିନ୍ତୁ ବନ୍ୟା ଯୋଗୁଁ ପିଆଜ ପରିବହନ ବାଧାପ୍ରାପ୍ତ ହୋଇଛି। ଫଳରେ ଓଡ଼ିଶାକୁ ପିଆଜ ଯୋଗାଣ କମିଯାଇଛି, ବଜାରରେ ପିଆଜର ଅଭାବ ଦେଖାଦେଇଛି।ଭୁବନେଶ୍ୱରର ହୋଲସେଲ୍ ବଜାରରେ, ଏବେ ପିଆଜ କିଲୋ ପିଛା ପ୍ରାୟ ୪୦ ଟଙ୍କାରେ ବିକ୍ରି ହେଉଛି। ସେହି ପିଆଜ ଖୁଚୁରା ବଜାରରେ ଗ୍ରାହକଙ୍କୁ କିଲୋ ପିଛା ୬୦ ଟଙ୍କା ପର୍ଯ୍ୟନ୍ତ କିଣିବାକୁ ପଡ଼ୁଛି।ଓଡ଼ିଶାରେ ବର୍ଷକୁ ପ୍ରାୟ ୬ ଲକ୍ଷ ଟନ୍ ପିଆଜର ଆବଶ୍ୟକତା ରହିଛି। ଅନ୍ୟପକ୍ଷରେ, ରାଜ୍ୟରେ ପିଆଜ ଉତ୍ପାଦନ ବହୁତ କମ୍ ରହିଛି। କେବଳ ଭୁବନେଶ୍ୱରରେ ପ୍ରତିଦିନ ପ୍ରାୟ ୨୦୦ ଟନ୍ ପିଆଜର, ଆବଶ୍ୟକତା ରହିଛି। ବାହାର ରାଜ୍ୟରୁ ପିଆଜ, ନେଇ ଆସୁଥିବା ଟ୍ରକ୍ ସଂଖ୍ୟା କମିଯିବାରୁ ସ୍ଥିତି ଆହୁରି ଖରାପ ହୋଇଛି।




