
ଭୁବନେଶ୍ୱର ,ଘୂର୍ଣ୍ଣିବଳୟ ପ୍ରଭାବରେ ରବିବାର, ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଏବଂ ଏହାର ପାର୍ଶ୍ବବର୍ତ୍ତୀ ଗାଙ୍ଗେୟ ପଶ୍ଚିମବଙ୍ଗ, ଉତ୍ତର ଓଡ଼ିଶା ଉପରେ, ଏକ ଲଘୁଚାପ ସୃଷ୍ଟି ହୋଇଛି। ଆସନ୍ତା ୨୪ଘଣ୍ଟା ମଧ୍ୟରେ ଉତ୍ତର-ପଶ୍ଚିମ ଦିଗରେ ଗତିକରି ଉତ୍ତର ଓଡ଼ିଶା ଏବଂ ତତ୍-ସଂଲଗ୍ନ ଗାଙ୍ଗେୟ ପଶ୍ଚିମବଙ୍ଗ ଆଡକୁ ଗତିକରି ପାରେ। ଏଥିସହିତ ମୌସୁମି ନିମ୍ନଚାପରେଖା ଲଘୁଚାପର କେନ୍ଦ୍ରସ୍ଥଳରୁ ଉତ୍ତର ଓଡ଼ିଶା ପର୍ଯ୍ୟନ୍ତ ଲମ୍ବିଛି। ଏହାର ପ୍ରଭାବରେ, ଆସନ୍ତା ୨୪ଘଣ୍ଟା ମଧ୍ୟରେ ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ସମ୍ବଲପୁର, ସୁବର୍ଣ୍ଣପୁର ଏବଂ ବୌଦ୍ଧ ଜିଲାର କେତେକ ଅଞ୍ଚଳରେ ଅତି ପ୍ରବଳ ବର୍ଷାର ସମ୍ଭାବନା ରହିଛି।ବାଲେଶ୍ବର, ଦେବଗଡ଼, ଅନୁଗୋଳ, କେନ୍ଦୁଝର, ମୟୂରଭଞ୍ଜ, ନୂଆପଡ଼ା, ବଲାଙ୍ଗିର, କଳାହାଣ୍ଡି, କନ୍ଧମାଳ, ନବରଙ୍ଗପୁର, ରାୟଗଡ଼ା, କୋରାପୁଟ, ମାଲକାନଗିରି, ଗଜପତି, ଗଞ୍ଜାମ ଏବଂ ନୟାଗଡ଼ ଜିଲାକୁ ପ୍ରବଳ ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି।ପାଣିପାଗ ବିଶେଷଜ୍ଞ ପ୍ରଫେସର, ସୁରେନ୍ଦ୍ରାନଥ ପଶୁପାଳକ କହିଛନ୍ତି, ଅଗଷ୍ଟ ଶେଷ ଆଡ଼କୁ ବଙ୍ଗୋପସାଗରରେ ଆଉ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାକୁ ଯାଉଛି। ଏହାର ପ୍ରଭାବରେ ଉତ୍ତର ଓ ପଶ୍ଚିମ ଓଡ଼ିଶାରେ ଅଧିକ ବର୍ଷା ହେବ, କିନ୍ତୁ ଦକ୍ଷିଣ ଓଡ଼ିଶାରେ ବର୍ଷା ନିଅଣ୍ଟିଆ ସ୍ଥିତି ବଜାୟ ରହିବ।




