
ଭୁବନେଶ୍ୱର ,ଦେଶରେ ଗତ ଏକ ମାସ ମଧ୍ୟରେ ଚିନି ଦର ପ୍ରାୟ ୧୦% ବୃଦ୍ଧି ପାଇ, ରେକର୍ଡ ସ୍ତରରେ ପହଞ୍ଚିଛି। ସରକାରଙ୍କ ଅନୁଯାୟୀ, ବର୍ତ୍ତମାନ ମିଲ୍ ଦରରେ ଦେଖାଦେଇଥିବା ବୃଦ୍ଧି ଚାହିଦା-ଯୋଗାଣର, ପ୍ରକୃତ ସ୍ଥିତି ତୁଳନାରେ ଅଧିକ। କିଛି ଟ୍ରେଡର୍, ଡିଲର୍ ଏବଂ ବଜାର ମଧ୍ୟସ୍ଥି କୌଣସି ପ୍ରକୃତ ଷ୍ଟକ୍ କିମ୍ବା ଚିନି ସ୍ଥାନାନ୍ତର ନକରି କେବଳ, ପେପର ଟ୍ରେଡିଂ ଏବଂ କଳାବଜାରୀ ମାଧ୍ୟମରେ ବଜାରରେ, କୃତ୍ରିମ ଅଭାବ ସୃଷ୍ଟି କରୁଛନ୍ତି।ଆଗକୁ ଆସୁଥିବା ପାର୍ବଣ ଯୋଗୁଁ ସ୍ଥିତି ଆହୁରି ଜଟିଳ ହୋଇପାରେ ବୋଲି, ସରକାର ଆଶଙ୍କା କରୁଛନ୍ତି। କାରଣ ଅଗଷ୍ଟରୁ ନଭେମ୍ବର ମଧ୍ୟରେ ଗଣେଶ ପୂଜା, ନବରାତ୍ରୀ, ଦଶହରା ଏବଂ ଦୀପାବଳି ଭଳି ବଡ଼ ପର୍ବପର୍ବାଣୀ ଆସୁଛି। ଏହି ସମୟରେ ମିଠା ଏବଂ ଅନ୍ୟାନ୍ୟ ଖାଦ୍ୟ ସାମଗ୍ରୀ ପାଇଁ,ଚିନିର ଚାହିଦା ବଢ଼ିଥାଏ। ବଡ଼ ଉତ୍ପାଦକମାନେ ମଧ୍ୟ ପୂର୍ବରୁ, ଷ୍ଟକ୍ ଜମା କରିବା ଆରମ୍ଭ କରନ୍ତି। ତେଣୁ ବଜାରରେ ଯେପରି ଚିନିର ଅଭାବ ନହୁଏ, ସେଥିପାଇଁ ସରକାର, ଏହି ପଦକ୍ଷେପ ନେଇଛନ୍ତି।ଖାଦ୍ୟ ଏବଂ ସାଧାରଣ ବଣ୍ଟନ ବିଭାଗ ଅଗଷ୍ଟ ୧୯ରେ, ଏକ ନୂଆ ନିର୍ଦ୍ଦେଶନାମା ଜାରି କରିଛି। ଏହି ନିୟମ ସେପ୍ଟେମ୍ବର ୧ରୁ ଲାଗୁ ହୋଇ ୩୦ ନଭେମ୍ବର, ୨୦୨୬ ପର୍ଯ୍ୟନ୍ତ ବଳବତ୍ତର ରହିବ। ସାଧାରଣ ଲୋକଙ୍କ ଉପରେ ପଡ଼ୁଥିବା ବୋଝ ଏବଂ ଆଗାମୀ ପର୍ବପର୍ବାଣୀରେ ଚାହିଦା ବୃଦ୍ଧି ହେବାର ସମ୍ଭାବନାକୁ ଦୃଷ୍ଟିରେ ରଖି, କେନ୍ଦ୍ର ସରକାର ଚିନି ଷ୍ଟକ୍ ଉପରେ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି।




