
ଭୁବନେଶ୍ୱର,ଲଗାଣ ବର୍ଷା ଯୋଗୁଁ ୨୭ ଜିଲ୍ଲାରେ ଆକସ୍ମିକ ବନ୍ୟା ସ୍ଥିତି ସୃଷ୍ଟି ହୋଇପାରେ। ସେଥିପାଇଁ ଜିଲ୍ଲାପାଳ ମାନଙ୍କୁ ପ୍ରସ୍ତୁତ ରହିବାକୁ ଏସଆରସି, ନିର୍ଦ୍ଦେଶ ଦେଇଛନ୍ତି। ୨୯ ତାରିଖ ଯାଏ ରାଜ୍ୟରେ ବର୍ଷା ଲାଗି ରହିବ ବୋଲି ଭାରତୀୟ ପାଣିପାଗ ବିଭାଗ, ସତର୍କ କରିଛି। ଆଜି ପାଇଁ ସୁନ୍ଦରଗଡ଼, କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ ଦିଆଯାଇଛି। ସେହିପରି ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ୧୨ ଜିଲ୍ଲାକୁ ପାଣିପାଗ ବିଭାଗ ଦେଇଛି ୟେଲୋ ସତର୍କତା। ବଡ଼ ବର୍ଷାକୁ ଦୃଷ୍ଟିରେ ରଖି ଆଜି ଜଗତସିଂହପୁର, କେନ୍ଦ୍ରାପଡ଼ା ଓ ମୟୂରଭଞ୍ଜ ଜିଲ୍ଲାରେ ସ୍କୁଲ, ଅଙ୍ଗନୱାଡ଼ି ଛୁଟି ଘୋଷଣା କରାଯାଇଛି। ସମୁଦ୍ର ଅଶାନ୍ତ ଥିବାରୁ ମତ୍ସ୍ୟଜୀବୀଙ୍କୁ ଆସନ୍ତା ୨୯ ତାରିଖ ଯାଏ ସମୁଦ୍ରକୁ ନ ଯିବାକୁ, ସତର୍କ କରାଯାଇଛି।ଆଜି ଗଭୀର ଅବପାତ ରୂପ ନେବ। ରାତି ୧୧ଟା ୩୦ ସୁଦ୍ଧା ଅବପାତଟି ପଶ୍ଚିମବଙ୍ଗର ସାଗର ଦ୍ବୀପର ଦକ୍ଷିଣର ୬୦ କିମି, ଦୀଘାର ଦକ୍ଷିଣ ପୂର୍ବରୁ ୮୦ କିମି ଓ ଓଡ଼ିଶାର ଚାନ୍ଦବାଲିର ପୂର୍ବ-ଉତ୍ତରପୂର୍ବରୁ, ୧୫୦ କିମି ଓ ବାଲେଶ୍ବରର ପୂର୍ବ-ଦକ୍ଷିଣପୂର୍ବରୁ ୧୪୦ କିମି ଦୂରରେ ଥିଲା। ଦିନ ୧୨ଟା ଭିତରେ ଏହା ପାରାଦୀପ ଓ ସାଗର ଦ୍ବୀପ ମଝିରେ ଅତିକ୍ରମ କରିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।




