ଓଡ଼ିଶାଶିକ୍ଷାସ୍ୱାସ୍ଥ୍ୟ

ସ୍ୱାଭିମାନ ଓଡ଼ିଶା ଫାଉଣ୍ଡେସନ ପକ୍ଷରୁ ରାଜ୍ୟସ୍ତରୀୟ ‘ବିକାଶ ସମ୍ମିଳନୀ’ ଆୟୋଜିତ

ମୋବାଇଲ ନ୍ୟୁଜ 24×7 ବ୍ୟୁରୋ;    ଓଡ଼ିଶାର ସାମାଜିକ, ସାଂସ୍କୃତିକ ଓ ସର୍ବାଙ୍ଗୀନ ବିକାଶକୁ ଏକ ଜନ ଆନ୍ଦୋଳନରେ ପରିଣତ କରିବାର ଲକ୍ଷ୍ୟ ନେଇ ସ୍ୱାଭିମାନ ଓଡ଼ିଶା ଫାଉଣ୍ଡେସନ ପକ୍ଷରୁ ୫ ଜୁଲାଇ ୨୦୨୬ ତାରିଖରେ ଶ୍ରୀକ୍ଷେତ୍ର ପୁରୀସ୍ଥିତ ହୋଟେଲ ବ୍ଲୁ ବିଚ୍ ରିସର୍ଟ ପରିସରରେ ଏକ ରାଜ୍ୟସ୍ତରୀୟ ‘ବିକାଶ ସମ୍ମିଳନୀ’ ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି। “ସ୍ୱାଭିମାନରୁ ସମୃଦ୍ଧି : ଶ୍ରେଷ୍ଠ ଓଡ଼ିଶା ଗଠନ ପାଇଁ ଜନଆନ୍ଦୋଳନ” ଶୀର୍ଷକ ଏହି ସମ୍ମିଳନୀରେ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ବୁଦ୍ଧିଜୀବୀ, ଶିକ୍ଷାବିତ୍, ସମାଜସେବୀ, ଯୁବ ପ୍ରତିନିଧି, ବୃତ୍ତିଜୀବୀ ଏବଂ ସଂଗଠନର କର୍ମକର୍ତ୍ତାମାନେ ଯୋଗଦେଇ ଓଡ଼ିଶାର ଗୌରବମୟ ଐତିହ୍ୟ, ବର୍ତ୍ତମାନର ବିକାଶମୂଳକ ଚ୍ୟାଲେଞ୍ଜ ଏବଂ ୨୦୩୬ ସୁଦ୍ଧା ଏକ ସ୍ୱାଭିମାନୀ, ସମୃଦ୍ଧ ଓ ବିକଶିତ ଓଡ଼ିଶା ଗଠନର ରୋଡମ୍ୟାପ ଉପରେ ଓଡ଼ିଶାର ବିକାଶର ଦିଗ ଓ ଦୃଷ୍ଟିଭଙ୍ଗୀ ଉପରେ ବିସ୍ତୃତ ଆଲୋଚନା କରିଥିଲେ।

ଫାଉଣ୍ଡେସନର ସଭାପତି ଅମ୍ବିକା ପ୍ରସାଦ ପଣ୍ଡା ତାଙ୍କ ଅଭିଭାଷଣରେ କହିଥିଲେ ଯେ, ଓଡ଼ିଶାର ବିକାଶ କେବଳ ସରକାରୀ ପ୍ରୟାସ ଉପରେ ନିର୍ଭରଶୀଳ ନ ହୋଇ ଜନସହଭାଗିତା ଆଧାରିତ ଏକ ସାମାଜିକ ଆନ୍ଦୋଳନରେ ପରିଣତ ହେବା ଆବଶ୍ୟକ। ସେ କହିଥିଲେ ଯେ, ସ୍ୱାଭିମାନ ଓଡ଼ିଶା ଫାଉଣ୍ଡେସନ ରାଜ୍ୟର ସାଂସ୍କୃତିକ ପୁନର୍ଜାଗରଣ, ଯୁବ ସଶକ୍ତିକରଣ, ନାଗରିକ ଦାୟିତ୍ୱବୋଧ ଏବଂ ବିକାଶମୂଳକ ଚିନ୍ତାଧାରାକୁ ସମାଜର ପ୍ରତ୍ୟେକ ସ୍ତରରେ ପହଞ୍ଚାଇବା ପାଇଁ କାର୍ଯ୍ୟ କରିବ।

ସେହିପରି ଫାଉଣ୍ଡେସନର ଉପସଭାନେତ୍ରୀ, ବିଶିଷ୍ଟ ଲେଖିକା ଓ ସମାଜସେବୀ ଡା. ସୁନୀତି ମୁଣ୍ଡ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ। ସେ ତାଙ୍କ ବକ୍ତବ୍ୟରେ କହିଥିଲେ ଯେ, ଓଡ଼ିଶାର ସର୍ବାଙ୍ଗୀନ ବିକାଶ ପାଇଁ ସମାଜର ପ୍ରତ୍ୟେକ ବର୍ଗର ସକ୍ରିୟ ସହଭାଗିତା ଆବଶ୍ୟକ । ବିକାଶ କେବଳ ସରକାରଙ୍କ ଦାୟିତ୍ୱ ନୁହେଁ, ବରଂ ପ୍ରତ୍ୟେକ ସଚେତନ ନାଗରିକଙ୍କ ସାମୂହିକ ଦାୟିତ୍ୱ ବୋଲି ସେ ଆହ୍ୱାନ ଦେଇଥିଲେ।

ଫାଉଣ୍ଡେସନର ସାଧାରଣ ସମ୍ପାଦକ ବରୁଣ କୁମାର ସଂଗଠନର କାର୍ଯ୍ୟ ଯୋଜନା, ସାଙ୍ଗଠନିକ ଢାଞ୍ଚା ଓ ଆଗାମୀ କାର୍ୟ୍ୟକ୍ରମ ସମ୍ପର୍କରେ ଆଲୋକପାତ କରିଥିଲେ। ସେ ସୂଚନା ଦେଇଥିଲେ ଯେ, ରାଜ୍ୟର ପ୍ରତ୍ୟେକ ଜିଲ୍ଲାରେ ‘ଜିଲ୍ଲା ବିକାଶ ସମ୍ମିଳନୀ’ ଆୟୋଜନ କରାଯିବ। ଏହି ସମ୍ମିଳନୀଗୁଡ଼ିକରେ ଜିଲ୍ଲାର ବିକାଶ ସମ୍ଭାବନା, ପ୍ରମୁଖ ସମସ୍ୟା, କୃଷି, ରୋଜଗାର, ଶିକ୍ଷା, ସ୍ୱାସ୍ଥ୍ୟ, ପର୍ଯ୍ୟଟନ, ଉଦ୍ୟୋଗ, ଯୁବଶକ୍ତି ଓ ସୁଶାସନ ଭଳି ବିଭିନ୍ନ ବିଷୟ ଉପରେ ଗଭୀର ଆଲୋଚନା କରାଯିବ  ।  ଏହି ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ ସାମ୍ବାଦିକ ଅକ୍ଷୟ ସାହୁ, ସୁନାମଧନ୍ୟ ଲେଖିକା ସୁଜାତା ନନ୍ଦ, ସମାଜସେବୀ ପ୍ରଶାନ୍ତ କର, ମାନିନୀ ଦେବୀ ଏବଂ ମନୋଜ ରଥ ସ୍ୱାଭିମାନ, ସାମାଜିକ ଚେତନା ଓ ବିକାଶକୁ ନେଇ ନିଜର ମତାମତ ରଖିଥିଲେ ।

Related Articles

Back to top button