ଐତିହ୍ୟ ଓ ସଂସ୍କୃତିଓଡ଼ିଶା

ପୁରୀ ରଥଯାତ୍ରା ପାଇଁ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ରଙ୍କ ପାନୀୟ ଜଳ ବ୍ୟବସ୍ଥା ସମୀକ୍ଷା

ମୋବାଇଲ ନ୍ୟୁଜ 24×7 ବ୍ୟୁରୋ;   ଆଗାମୀ ରଥଯାତ୍ରା ଏବଂ ଏଥିପାଇଁ ପୁରୀକୁ ଆସିବାକୁ ଥିବା ଲକ୍ଷ ଲକ୍ଷ ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖି ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡ. କୃଷ୍ଣ ଚନ୍ଦ୍ର ମହାପାତ୍ର ସୋମବାର ପାନୀୟ ଜଳ ଯୋଗାଣ ବ୍ୟବସ୍ଥାର  ସମୀକ୍ଷା କରିବା ସହ ସହରରେ ନିର୍ମାଣାଧୀନ ନୂତନ ୪୨ ଏମଏଲଡି ଜଳ ବିଶୋଧନ ପ୍ଲାଣ୍ଟର କାର୍ଯ୍ୟ ଅନୁଧ୍ୟାନ କରିଛନ୍ତି । ଉତ୍ସବ ସମୟରେ ନିରବଚ୍ଛିନ୍ନ ଭାବେ ସୁରକ୍ଷିତ ଓ ସ୍ୱଚ୍ଛ ପାନୀୟ ଜଳର ଉପଲବ୍ଧତା ସୁନିଶ୍ଚିତ କରିବା ଏବଂ ପାନୀୟ ଜଳ ଯୋଗାଣ ବ୍ୟବସ୍ଥାର ପ୍ରସ୍ତୁତିର ଆକଳନ କରିବା ପାଇଁ ମନ୍ତ୍ରୀ ମହାପାତ୍ର ବରିଷ୍ଠ ଅଧିକାରୀମାନଙ୍କ ସହ ଏକ ସମୀକ୍ଷା ବୈଠକ କରିଥିଲେ ।

ଏହି ବୈଠକରେ ୱାଟକୋର ପରିଚାଳନା ନିର୍ଦ୍ଦେଶକ ଦେବବ୍ରତ ମହାନ୍ତି, ବିଭାଗୀୟ ବରିଷ୍ଠ ଅଧିକାରୀ, ଯନ୍ତ୍ରୀ ଓ ପ୍ରକଳ୍ପ ଅଧିକାରୀମାନେ ଉପସ୍ଥିତ ଥିଲେ ଏବଂ ରଥଯାତ୍ରା ପାଇଁ ନିଆଯାଉଥିବା ବିଭିନ୍ନ ପଦକ୍ଷେପ ଓ ସ୍ୱତନ୍ତ୍ର ବ୍ୟବସ୍ଥା ବିଷୟରେ ମନ୍ତ୍ରୀଙ୍କୁ ଅବଗତ କରାଇଥିଲେ । କ୍ଷେତ୍ର ପରିଦର୍ଶନ ସମୟରେ  ଡ. ମହାପାତ୍ର ୪୨ ଏମଏଲଡି ଜଳ ବିଶୋଧନ ପ୍ଲାଣ୍ଟର ପ୍ରମୁଖ ଅଂଶ ଯେପରିକି କ୍ଲାରିଫାୟର୍, ଫିଲ୍ଟ୍ରେସନ୍ ୟୁନିଟ୍, ଯନ୍ତ୍ରପାତି ସ୍ଥାପନ ଏବଂ ଅନ୍ୟାନ୍ୟ ଆନୁଷଙ୍ଗିକ ଭିତ୍ତିଭୂମିର ଅଗ୍ରଗତି ପରିଦର୍ଶନ କରିଥିଲେ । ପୁରୀ ସହରର ବର୍ତ୍ତମାନ ଓ ଭବିଷ୍ୟତର ଜଳ ଆବଶ୍ୟକତା ପୂରଣ ଦିଗରେ ଏହି ପ୍ରକଳ୍ପର ଗୁରୁତ୍ୱ ଉପରେ ଆଲୋକପାତ କରି ସେ କାର୍ଯ୍ୟକାରୀ ସଂସ୍ଥାଗୁଡ଼ିକୁ ଗୁଣବତ୍ତା ବଜାୟ ରଖିବା ସହ କାମକୁ ତ୍ୱରାନ୍ୱିତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । “ରଥଯାତ୍ରା ସମୟରେ ପୁରୀର ଜନସଂଖ୍ୟା ବହୁଗୁଣିତ ହୋଇଯାଏ । ଶ୍ରଦ୍ଧାଳୁ ଏବଂ ସ୍ଥାନୀୟ ବାସିନ୍ଦାଙ୍କୁ ନିରବଚ୍ଛିନ୍ନ ଭାବେ ସୁରକ୍ଷିତ ପାନୀୟ ଜଳ ଯୋଗାଇବା ଆମର ସର୍ବୋଚ୍ଚ ପ୍ରାଥମିକତା । ଯେକୌଣସି ଜରୁରୀକାଳୀନ ପରିସ୍ଥିତିର ମୁକାବିଲା ପାଇଁ ସମସ୍ତ ସଂସ୍ଥା ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିବା ଆବଶ୍ୟକ ବୋଲି ମନ୍ତ୍ରୀ କହିଛନ୍ତି ।

ଶ୍ରୀ ଜଗନ୍ନାଥ ମନ୍ଦିର ଚାରିପାଖ, ସେବାୟତ , ତୀର୍ଥଯାତ୍ରୀଙ୍କ ରହଣି ସ୍ଥଳ, ଅସ୍ଥାୟୀ ଶିବିର ଏବଂ ସହରର ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ସ୍ଥାନଗୁଡ଼ିକରେ ୨୪  ଘଣ୍ଟିଆ ଜଳ ଯୋଗାଣ ପାଇଁ କରାଯାଇଥିବା ବ୍ୟବସ୍ଥାର ସମୀକ୍ଷା ମନ୍ତ୍ରୀ କରିଥିଲେ । ଜଳ ଯୋଗାଣ  ନେଟୱାର୍କର କ୍ରମାଗତ ନିରୀକ୍ଷଣ କରିବା ସହ ପାୱାର ବ୍ୟାକଅପ୍ ବ୍ୟବସ୍ଥା ଏବଂ ଜରୁରୀକାଳୀନ ପଦକ୍ଷେପ ବ୍ୟବସ୍ଥାକୁ ସମ୍ପୂର୍ଣ୍ଣ ପ୍ରସ୍ତୁତ ରଖିବାକୁ ସେ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଏକ ସତର୍କତାମୂଳକ ପଦକ୍ଷେପ ସ୍ୱରୂପ, ଜଳ ଯୋଗାଣରେ କୌଣସି ଅପ୍ରତ୍ୟାଶିତ ବାଧା ଦୂର କରିବା ପାଇଁ ୱାଟକୋ ପକ୍ଷରୁ ଭ୍ରାମ୍ୟମାଣ ପାଣି ଟାଙ୍କି, ଅସ୍ଥାୟୀ ଜଳ ବଣ୍ଟନ କେନ୍ଦ୍ର ଏବଂ ଜରୁରୀକାଳୀନ ପ୍ରତିକ୍ରିୟା ଦଳକୁ ପ୍ରସ୍ତୁତ ରଖାଯାଇଛି । ତୁରନ୍ତ ସେବା ଏବଂ ନିରବଚ୍ଛିନ୍ନ କାର୍ଯ୍ୟ ସୁନିଶ୍ଚିତ କରିବା ପାଇଁ ରଥଯାତ୍ରା ସମୟରେ ଏକ ସ୍ୱତନ୍ତ୍ର କଣ୍ଟ୍ରୋଲ ରୁମ୍ ୨୪ ଘଣ୍ଟା କାର୍ଯ୍ୟ କରିବ।

ମନ୍ତ୍ରୀ ଡ. ମହାପାତ୍ର ଅଧିକାରୀ ଓ କାର୍ଯ୍ୟକାରୀ ସଂସ୍ଥାଗୁଡ଼ିକୁ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ଏବଂ ଗୁଣବତ୍ତା ସହ କୌଣସି ପ୍ରକାରର ଆପୋଷ ବୁଝାମଣା ନକରି ଜଳ ବିଶୋଧନ ପ୍ଲାଣ୍ଟ ପ୍ରକଳ୍ପ ସମ୍ପୂର୍ଣ୍ଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ନିର୍ଦ୍ଧାରିତ ମାନଦଣ୍ଡରୁ କୌଣସି ପ୍ରକାରର ଅବହେଳା କିମ୍ବା ବିଚ୍ୟୁତିକୁ ଗମ୍ଭୀରତାର ସହ ନିଆଯିବ ବୋଲି ସେ ଦୋହରାଇଛନ୍ତି । ରଥଯାତ୍ରା ସମୟରେ ଉନ୍ନତମାନର ସେବା ଯୋଗାଇଦେବା ପାଇଁ ରାଜ୍ୟ ସରକାରଙ୍କ ପ୍ରତିବଦ୍ଧତାକୁ ଦୋହରାଇ ମନ୍ତ୍ରୀ କହିଛନ୍ତି ଯେ ସମସ୍ତ ଭକ୍ତ ଓ ବାସିନ୍ଦାଙ୍କ ପାଇଁ ସ୍ୱଚ୍ଛ ପାନୀୟ ଜଳର ନିରବଚ୍ଛିନ୍ନ ସୁବିଧା ସହ ଏକ ସୁରୁଖୁରୁ, ସୁରକ୍ଷିତ ଏବଂ ସୁସଂଗଠିତ ରଥଯାତ୍ରା ସୁନିଶ୍ଚିତ କରିବା ପାଇଁ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ଏବଂ ୱାଟକୋ ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛନ୍ତି ।

Related Articles

Back to top button