ଓଡ଼ିଶାରାଜନୀତି

କଟକରେ ଟଳମଳ ବିଜେଡି ସ୍ଥିତି: ଦେବାଶିଷଙ୍କ ପରେ ଆଉ ୩ ବରିଷ୍ଠ ନେତାଙ୍କ ଇସ୍ତଫା

କଟକ, ୦୪/୦୬/୨୦୨୬: ବିଜୁ ଜନତା ଦଳ (ବିଜେଡି)ରେ ଇସ୍ତଫା ଗ୍ରହଣ ପ୍ରକ୍ରିୟା ଥମିବାର ନାଁ ନେଉନାହିଁ। ବିଶେଷ କରି କଟକ ସହରରେ ଦଳର ସ୍ଥିତି ଦିନକୁ ଦିନ ଦୁର୍ବଳ ହେବାରେ ଲାଗିଛି। ୨୦୨୪ ମେ’ ମାସରୁ ଆରମ୍ଭ କରି ୨୦୨୬ ମେ’ ମଧ୍ୟରେ ଅନେକ ପୁରୁଖା ଓ ବରିଷ୍ଠ ନେତା ଦଳ ଛାଡ଼ି ସାରିଥିବା ବେଳେ ନିକଟରେ ପୂର୍ବତନ ରାଜ୍ୟସଭା ସଦସ୍ୟ ଦେବାଶିଷ ସାମନ୍ତରାୟ ଦଳରୁ ଇସ୍ତଫା ଦେଇ ସମସ୍ତଙ୍କୁ ଚକିତ କରିଥିଲେ। ଏହି କ୍ରମରେ ଗତ ବୁଧବାର ଦଳକୁ ଆଉ ଏକ ବଡ଼ ଝଟ୍‌କା ଲାଗିଛି, ଯେଉଁଥିରେ କଟକର ଆଉ ୩ ଜଣ ବହୁ ପୁରୁଖା ସଂଗଠକ ଦଳରୁ ବିଦାୟ ନେଇଛନ୍ତି।

 ଦଳରୁ ଇସ୍ତଫା ଦେଇଥିବା ଏହି ତିନି ବରିଷ୍ଠ ନେତା ହେଲେ— ୧. ମଧୁସୂଦନ ସାହୁ (ପୂର୍ବତନ ଡେପୁଟି ମେୟର ତଥା ପୂର୍ବତନ ବିଜେଡି କଟକ ନଗର ସଭାପତି) ୨. ଜ୍ଞାନେନ୍ଦ୍ର ଗିରି ଗୋସ୍ବାମୀ (ବିଜେଡି ରାଜ୍ୟ ସମ୍ପାଦକ) ୩. ଡ. ରଞ୍ଜନ ବିଶ୍ୱାଳ (ପୂର୍ବତନ କର୍ପୋରେଟର ତଥା ଜୀବନ ବିନ୍ଦୁ କାର୍ଯ୍ୟକ୍ରମର କଟକ ସିଟି ସଂଯୋଜକ)

ଏହି ସମସ୍ତ ନେତା ସେମାନଙ୍କର ଆନୁଷ୍ଠାନିକ ଇସ୍ତଫା ପତ୍ର ଦଳର ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ନିକଟକୁ ପ୍ରେରଣ କରିଛନ୍ତି। ବହୁ ବର୍ଷ ଧରି ନିଷ୍ଠାର ସହ କାର୍ଯ୍ୟ କରିବା ସତ୍ତ୍ୱେ ଦଳ ସେମାନଙ୍କୁ କୋଣଠେସା କରିବା ସହ କ୍ରମାଗତ ଅଣଦେଖା କରୁଥିବା ନେଇ ସେମାନେ ଅଭିଯୋଗ ଆଣିଛନ୍ତି। ମୁଖ୍ୟତଃ ନେତା ଭି. କାର୍ତ୍ତିକେୟନ ପାଣ୍ଡିଆନଙ୍କ ପରିଚାଳନା ଗତ ତ୍ରୁଟିକୁ ଦୋଷ ଦେବା ସହ ଦଳ ବର୍ତ୍ତମାନ ଠିକ୍‌ ଢଙ୍ଗରେ ପରିଚାଳିତ ହେଉ ନ ଥିବା କଥା ସେମାନେ ଇସ୍ତଫା ପତ୍ରରେ ସ୍ପଷ୍ଟ ଭାବେ ଉଲ୍ଲେଖ କରିଛନ୍ତି।

 ପୂର୍ବରୁ କଟକର ବହୁ ଯୁବ ଓ ଛାତ୍ର ନେତା ସମୂହ ଇସ୍ତଫା ଦେଇ ସାରିଥିବା ବେଳେ, ବର୍ତ୍ତମାନ ଏଭଳି ଜଣକ ପରେ ଜଣେ ଶୀର୍ଷ ସ୍ତରୀୟ ପୁରୁଖା ନେତା ଏବଂ ସେମାନଙ୍କ ସମର୍ଥକ କର୍ମୀମାନେ ଦଳ ଛାଡ଼ିବା ବିଜେଡି ପାଇଁ ମହଙ୍ଗା ସାବ୍ୟସ୍ତ ହେଉଛି। ନିର୍ବାଚନ ପରଠାରୁ କଟକ ସହରରେ ଦଳର ସାଂଗଠନିକ ସ୍ଥିତି ସମ୍ପୂର୍ଣ୍ଣ ଭାବେ ଟଳମଳ ଅବସ୍ଥାକୁ ଚାଲିଆସିଛି।

Related Articles

Back to top button