ଦିଲ୍ଲୀ-ଡେରାଡୁନ୍ ଏକ୍ସପ୍ରେସୱେକୁ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ଭୁବନେଶ୍ୱର , ଦିଲ୍ଲୀ-ଡେରାଡୁନ୍ ଏକ୍ସପ୍ରେସୱେକୁ ଉତ୍ତର ଭାରତର ଦିଲ୍ଲୀ-ସହାରନପୁର-ଡେରାଡୁନ୍ ଅର୍ଥନୈତିକ କରିଡର ଭାବରେ ମଧ୍ୟ ଜଣାଶୁଣା। ଏହି ଏକ୍ସପ୍ରେସୱେ ଭାରତୀୟ ଜାତୀୟ ରାଜପଥ ପ୍ରାଧିକରଣ ଦ୍ୱାରା ନିର୍ମିତ ହୋଇଥିଲା। ଏହି ୨୧୦ କିଲୋମିଟର ଲମ୍ବା ଏକ୍ସପ୍ରେସୱେରେ, ୬ ଲେନ୍ ରହିଛି। ଦିଲ୍ଲୀ-ଡେରାଡୁନ୍ ଏକ୍ସପ୍ରେସୱେ ପଶ୍ଚିମ ଉତ୍ତର ପ୍ରଦେଶ, ଉତ୍ତରାଖଣ୍ଡ, ଦିଲ୍ଲୀ, ହରିୟାଣା ଏବଂ ଅନ୍ୟାନ୍ୟ ଅଞ୍ଚଳର ଲୋକଙ୍କ ପାଇଁ ଅଧିକ ଲାଭଦାୟକ ହେବ। ଏହା ଉତ୍ତରାଖଣ୍ଡର ଚାରିଧାମ ଯାତ୍ରା କରୁଥିବା ଲୋକଙ୍କୁ ସୁବିଧା ଯୋଗାଇବା, ସହ ପର୍ଯ୍ୟଟନ ଏବଂ ବାଣିଜ୍ୟ ଉଭୟକୁ ସୁଦୃଢ କରିବ। ଏହି ଏକ୍ସପ୍ରେସୱେ ଦିଲ୍ଲୀର ଅକ୍ଷୟଧାମ ମନ୍ଦିର ନିକଟରେ, ଆରମ୍ଭ ହୋଇ ଉତ୍ତରାଖଣ୍ଡର ଦେହରାଡୁନ୍ ନିକଟରେ ଶେଷ ହେବ। ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦିନ ସାଢେ ୧୨ଟାରେ ଦିଲ୍ଲୀ-ଡେରାଡୁନ୍ ଏକ୍ସପ୍ରେସୱେକୁ ଉଦଘାଟନ କରିବେ। ଏହି ଏକ୍ସପ୍ରେସୱେ ଖୋଲିବା ପରେ, ଦିଲ୍ଲୀରୁ ଡେରାଡୁନ୍ ଯାତ୍ରା କେବଳ ଅଢ଼େଇ ଘଣ୍ଟାରୁ ତିନି ଘଣ୍ଟା ଲାଗିବ। ଯାହା ପୂର୍ବରୁ ଦିଲ୍ଲୀ-ମିରଟ-ମୁଜାଫରନଗର-ସହାରନପୁର-ଡେରାଡୁନ୍ ରୁଟ୍ ଦେଇ ୬ ଘଣ୍ଟା ସମୟ ଲାଗୁଥିଲା।




