ବଡ଼ବିଲବାସୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଭେଟି: ବାଇପାସ୍ ରିଙ୍ଗରୋଡ୍ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ
ଭୁବନେଶ୍ବର: କଥା ଦେଇ କଥା ରଖିଲେ ରାଜ୍ୟ ସରକାର। ବଡ଼ବିଲ ଅଞ୍ଚଳବାସୀଙ୍କ ବହୁ ପ୍ରତିକ୍ଷିତ ସ୍ୱପ୍ନ ପୂରଣ କରିବାକୁ ଯାଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ‘ବଡ଼ବିଲ ବାଇପାସ୍ ରିଙ୍ଗରୋଡ୍’ ପ୍ରକଳ୍ପର ଶୁଭ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ଗତବର୍ଷ ଘଟଗାଁଠାରେ ମୁଖ୍ୟମନ୍ତ୍ରୀ ଦେଇଥିବା ପ୍ରତିଶ୍ରୁତିକୁ ଆଜି ସେ ବାସ୍ତବ ରୂପ ଦେଇଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ କେନ୍ଦୁଝର ଜିଲ୍ଲା ପାଇଁ ଅନେକ ଗୁରୁତ୍ୱପୂର୍ଣ୍ଣ ଉନ୍ନୟନମୂଳକ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ ମଧ୍ୟ କରିଛନ୍ତି। ମୋଟ ୧୫୮୧ କୋଟି ୨୧ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ହେବ ଏହି ରିଙ୍ଗରୋଡ୍। ଏହି ବାଇପାସ୍ ରୋଡର ଲମ୍ବ ପ୍ରାୟ ୧୮ କିଲୋମିଟର ୩୨୬ ମିଟର ରହିବ। ଆଜି ମୁଖ୍ୟମନ୍ତ୍ରୀ ୨୯.୪୧ କୋଟି ଟଙ୍କାର ୨୪ଟି ପ୍ରକଳ୍ପର ଲୋକାର୍ପଣ କରିବା ସହ ୩୨୬.୪୩ କୋଟି ଟଙ୍କାର ୫୧ଟି ନୂଆ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। କାର୍ଯ୍ୟକ୍ରମରେ ଉଦବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଯୋଡ଼ା, ବାସୁଦେବପୁର ଓ ବଡ଼ବିଲ ଅଞ୍ଚଳର ବିଦ୍ୟୁତ୍ ସମସ୍ୟା ଦୂର କରିବା ପାଇଁ ୨୯୮ କୋଟି ଟଙ୍କା ବ୍ୟୟରେ ଏକ ନୂତନ ବିଦ୍ୟୁତ୍ ସବ୍ଷ୍ଟେସନ୍ ନିର୍ମାଣ କରାଯିବ। ଏହାସହ ୮ ଲେନ୍ ବିଶିଷ୍ଟ ବଡ଼ବିଲ-ପାରାଦ୍ୱୀପ ରାସ୍ତା ନିର୍ମାଣ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁ ସେ ଜିଲ୍ଲା ପ୍ରଶାସନକୁ କଡ଼ା ନିର୍ଦ୍ଦେଶ ଦେଇଛନ୍ତି। ଏହି ପ୍ରକଳ୍ପଗୁଡ଼ିକ ସମ୍ପୂର୍ଣ୍ଣ ହେଲେ ଜିଲ୍ଲାର ପରିବହନ ଏବଂ ଶିଳ୍ପ କ୍ଷେତ୍ରରେ ଏକ ବଡ଼ ପରିବର୍ତ୍ତନ ଆସିବ ବୋଲି ଆଶା କରାଯାଉଛି।




