ଓଡ଼ିଶାରାଜନୀତି

ଭୁବନେଶ୍ୱର ମେଟ୍ରୋ ରେଳବାଇ ପ୍ରକଳ୍ପର ଅକାଳ ମୃତ୍ୟୁ

ଭୁବନେଶ୍ୱରବାସୀଙ୍କ ସ୍ୱପ୍ନର କୋଣାର୍କକୁ ଧୂଳିସାତ କଲେ ସରକାର: ଯୁବ କଂଗ୍ରେସ

ଭୁବନେଶ୍ୱର, ୦୮/୦୪/୨୦୨୬: ଭୁବନେଶ୍ୱର ମେଟ୍ରୋ ରେଳ ପ୍ରକଳ୍ପକୁ ବର୍ତ୍ତମାନର ବିଜେପି ସରକାର ବନ୍ଦ କରିବା ନିଷ୍ପତ୍ତିକୁ ନେଇ ପ୍ରଦେଶ ଯୁବ କଂଗ୍ରେସ ତୀବ୍ର ଅସନ୍ତୋଷ ପ୍ରକାଶ କରିଛି। ଆଜି କଂଗ୍ରେସ ଭବନଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଭୁବନେଶ୍ୱର କଂଗ୍ରେସ ଲୋକସଭା ପ୍ରାର୍ଥୀ ସୟଦ ୟାସିର ନୱାଜ କହିଛନ୍ତି ଯେ, ଭୁବନେଶ୍ୱରବାସୀଙ୍କ ସ୍ୱପ୍ନକୁ ମୋହନ ସରକାର ଧୂଳିସାତ କରିଦେଇଛନ୍ତି। ପୂର୍ବତନ ନବୀନ ସରକାର ୨୦୨୪ ଜାନୁଆରୀ ୧ ତାରିଖରେ ୬,୨୨୫ କୋଟି ଟଙ୍କା ବ୍ୟୟରେ ଏହି ପ୍ରକଳ୍ପ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ, ଯାହାକୁ ମୋହନ ସରକାର ବିଭିନ୍ନ ଆଳ ଦେଖାଇ ବନ୍ଦ କରିଦେଲେ।

ୟାସିର ନୱାଜଙ୍କ କହିବା ଅନୁଯାୟୀ, ତ୍ରିଶୁଳିଆ ଠାରୁ ବିମାନ ବନ୍ଦର ପର୍ଯ୍ୟନ୍ତ ୨୬ କିଲୋମିଟର ରାସ୍ତା ଏବଂ ୨୦ଟି ଷ୍ଟେସନ ପାଇଁ ରାଜ୍ୟ କ୍ୟାବିନେଟ୍ ଅନୁମୋଦନ କରିଥିଲା। ଏଥିପାଇଁ ଦିଲ୍ଲୀ ମେଟ୍ରୋ ରେଳ କର୍ପୋରେସନ (DMRC) ସହିତ ରାଜିନାମା ମଧ୍ୟ ହୋଇଥିଲା। କିନ୍ତୁ ବର୍ତ୍ତମାନର ସରକାର ଯାତ୍ରୀ ସଂଖ୍ୟା କମ୍ ହେବା ଏବଂ ଜାତୀୟ ରେଳବାଇ ନୀତି ସହ ଖାପ ଖାଉ ନଥିବା ଦର୍ଶାଇ ଏହି ପ୍ରକଳ୍ପକୁ ବାତିଲ କରିଛନ୍ତି। ଏହାଦ୍ୱାରା ରାଜ୍ୟ ସରକାରଙ୍କର ପ୍ରାୟ ୨୭୩ କୋଟି ୫୧ ଲକ୍ଷ ଟଙ୍କା ପାଣିରେ ପଡ଼ିଲା ବୋଲି ସେ ଅଭିଯୋଗ କରିଛନ୍ତି। ଏହା ଏକ ‘ଡବଲ ଇଞ୍ଜିନ’ ସରକାର ହୋଇଥିଲେ ମଧ୍ୟ କେନ୍ଦ୍ରର ସହାୟତା ନେଇ ପ୍ରକଳ୍ପକୁ ଆଗକୁ ନେବା ପରିବର୍ତ୍ତେ ଏହାକୁ ବନ୍ଦ କରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ।

ସାମ୍ବାଦିକ ସମ୍ମିଳନୀରେ ଯୁବ କଂଗ୍ରେସ ସାଧାରଣ ସମ୍ପାଦକ ସୁଦିପ ସାମଲ ସରକାରଙ୍କୁ ଘେରି କହିଛନ୍ତି ଯେ, ପୂର୍ତ୍ତ ମନ୍ତ୍ରୀ ପୃଥିରାଜ ହରିଚନ୍ଦନ, ମୁଖ୍ୟମନ୍ତ୍ରୀ ଏବଂ ରେଳ ମନ୍ତ୍ରୀଙ୍କ କଥାରେ କୌଣସି ତାଳମେଳ ରହୁନାହିଁ। ମନ୍ତ୍ରୀ ତୁରନ୍ତ ସ୍ପଷ୍ଟ କରନ୍ତୁ ଯେ ମେଟ୍ରୋ କାର୍ଯ୍ୟ କେବେ ଆରମ୍ଭ ହେବ। ଯଦି ଏହି ପ୍ରକଳ୍ପକୁ ତୁରନ୍ତ କାର୍ଯ୍ୟକାରୀ କରା ନଯାଏ, ତେବେ ଯୁବ କଂଗ୍ରେସ ପକ୍ଷରୁ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ରାଜଧାନୀରେ ବିରୋଧ କରାଯିବା ସହ ମୁଖ୍ୟମନ୍ତ୍ରୀ ଓ ପୂର୍ତ୍ତ ମନ୍ତ୍ରୀଙ୍କ ବାସଭବନ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯିବ ବୋଲି ସେ ଚେତାବନୀ ଦେଇଛନ୍ତି। ଏହି ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ଗୋପନ ମାର୍ଥା ଓ ଜାଭେଦ ଅକତର ପ୍ରମୁଖ ଉପସ୍ଥିତ ଥିଲେ।

Related Articles

Back to top button