
ଗଞ୍ଜାମ ବନ୍ୟାକୁ ନେଇ ରାଗିଗଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ଏହା ପ୍ରାକୃତିକ ବିପର୍ଯ୍ୟୟ ନୁହେଁ ଏହା ମନୁଷ୍ୟକୃତ ବୋଲି ଅଭିଯୋଗ କରିବା ସହ ବନ୍ୟା ପୀଡ଼ିତଙ୍କୁ ତୁରନ୍ତ ରିଲିଫ୍ ଓ ଥଇଥାନ ଯୋଗାଇଦେବାକୁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି । କେବଳ ଏତିକି ନୁହେଁ ସରକାରଙ୍କ ଅବହେଳା ଯୋଗୁଁ ପରିସ୍ଥିତି ଅଧିକ ଗମ୍ଭୀର ହୋଇଥିବା ନବୀନ ଅଭିଯୋଗ କରିଛନ୍ତି ।
ସେ ଚିଠିରେ ଉଲ୍ଲେଖ କରିଛନ୍ତି ଯେ, ଅକ୍ଟୋବର ୨୩ ତାରିଖରୁ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ବାତ୍ୟା ନେଇ ସତର୍କ ସୂଚନା ଜାରି ହୋଇଥିଲା । ଏହାସତ୍ତ୍ୱେ ଡ୍ୟାମ୍ରୁ ଆଗୁଆ ଜଳ ନିଷ୍କାସନ କରାଯାଇନଥିଲା । ପ୍ରବଳ ବର୍ଷା ପରେ ଏକାଥରକେ ଜଳ ଛଡ଼ାଯିବାରୁ ବନ୍ୟା ସ୍ଥିତି ଅଧିକ ଭୟଙ୍କର ହୋଇଛି । ଉଦ୍ଧାର ଓ ରିଲିଫ୍ କାର୍ଯ୍ୟରେ ବିଳମ୍ବ ହେବାରୁ ଅନେକ ଲୋକ ଦିନ ଦିନ ଧରି ଖାଦ୍ୟ ଓ ପାଣି ବିନା ଫସି ରହିଥିଲେ ବୋଲି ମଧ୍ୟ ସେ ଅଭିଯୋଗ କରିଛନ୍ତି ।
ଏହାସହ ସରପଞ୍ଚ ଓ ମିଶନ ଶକ୍ତିକୁ ବିପର୍ଯ୍ୟୟ ପରିଚାଳନାରେ ଉପଯୁକ୍ତ ଭାବେ ସାମିଲ କରାଯାଇନଥିବାରୁ ଗୋଷ୍ଠୀଭିତ୍ତିକ ବିପର୍ଯ୍ୟୟ ପରିଚାଳନା ବ୍ୟବସ୍ଥା ଦୁର୍ବଳ ହୋଇଥିବା ନବୀନ କହିଛନ୍ତି । ବନ୍ୟା ପ୍ରଭାବିତଙ୍କୁ ତୁରନ୍ତ ସହାୟତା, କ୍ଷତିଗ୍ରସ୍ତ ପରିବାରଙ୍କ ଥଇଥାନ ଏବଂ ଜୀବନଜୀବିକାର ପୁନରୁଦ୍ଧାର ପାଇଁ ସେ ଦାବି କରିଛନ୍ତି ।




