
୧୯୯୯ ମସିହା, ଅକ୍ଟୋବର ୨୯ ତାରିଖ। ଓଡ଼ିଶା ଇତିହାସର ସେହି ଭୟଙ୍କର କଳାଦିନକୁ ଆଜି ବି ଭୁଲିପାରିନାହାନ୍ତି ରାଜ୍ୟବାସୀ। ମହାବାତ୍ୟାର ସେହି ଛାତିଥରା ଦୃଶ୍ୟ ମନେ ପଡ଼ିଲେ ଏବେ ବି ଶିହରି ଉଠେ ଦେହ।ଆଉ ଏବେ ପୁଣି ଅକ୍ଟୋବର ମାସର ଶେଷ ସପ୍ତାହ। ବଙ୍ଗୋପସାଗରରେ ସୃଷ୍ଟି ହୋଇଛି ଲଘୁଚାପ। ସମ୍ଭାବ୍ୟ ବାତ୍ୟାକୁ ନେଇ ଉପକୂଳ ଓ ଦକ୍ଷିଣ ଓଡ଼ିଶାବାସୀଙ୍କ ମନରେ ବଢ଼ିଲାଣି ଛନକା।
ଭାରତୀୟ ପାଣିପାଗ ବିଭାଗର ଆକଳନ ଅନୁସାରେ, ପୂର୍ବ-କେନ୍ଦ୍ରୀୟ ଓ ସଂଲଗ୍ନ ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ କ୍ରମଶଃ ଘନୀଭୂତ ହେବ। ଅକ୍ଟୋବର ୨୪ ତାରିଖରେ ଏହା ଅବପାତ ଏବଂ ୨୫ ତାରିଖରେ ଗଭୀର ଅବପାତର ରୂପ ନେଇପାରେ।ଏହାପରେ ପଶ୍ଚିମ-ଉତ୍ତରପଶ୍ଚିମ ଦିଗରେ ଗତି କରି ୨୬ ତାରିଖ ସକାଳେ ବାତ୍ୟାରେ ପରିଣତ ହେବାର ସମ୍ଭାବନା ରହିଛି।
ତେବେ ଏହାର ପ୍ରଭାବ କେତେ ରହିବ? କେଉଁ ଅଞ୍ଚଳକୁ ଅଧିକ ବିପଦ ରହିଛି? ପାଣିପାଗ ବିଭାଗର ଆକଳନ ଅନୁସାରେ, ୨୭ ଓ ୨୮ ତାରିଖରେ ଏହା ଆହୁରି ଘନୀଭୂତ ହୋଇ ଉତ୍ତର ଆନ୍ଧ୍ରପ୍ରଦେଶ ଓ ଦକ୍ଷିଣ ଓଡ଼ିଶା ଉପକୂଳ ଆଡ଼କୁ ଗତି କରିପାରେ।ଆଇଏମ୍ଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ରଙ୍କ ସୂଚନା ଅନୁସାରେ, ଏହା ବାତ୍ୟାର ରୂପ ନେଲେ ଏହାର ନାମ ‘ଅର୍ଣ୍ଣବ’ ରହିବ।




