
MMDR ସଂଶୋଧନ ଆଇନକୁ ବିରୋଧ କରି ସୁନ୍ଦରଗଡ଼ରେ ବିଜେଡିର ବିଶାଳ ପ୍ରତିବାଦ। ଓଡ଼ିଶାର ଖଣିଜ ସମ୍ପଦ ଉପରେ ରାଜ୍ୟର ଅଧିକାର ଓ ଆର୍ଥିକ ସ୍ୱାୟତ୍ତତା ସୁରକ୍ଷା ଦାବିରେ ଦଳ ପକ୍ଷରୁ ରାଲି ସହ ଆର୍ଥିକ ଅବରୋଧ କରାଯାଇଛି।ସୁନ୍ଦରଗଡ଼ ବିଧାୟକ ତଥା ଜିଲ୍ଲା ସଭାପତି ଯୋଗେଶ ସିଂହଙ୍କ ନେତୃତ୍ୱରେ ଆୟୋଜିତ ରାଲିରେ ପ୍ରାୟ ୩ରୁ ୪ ହଜାର ବିଜେଡି କର୍ମୀ ଓ ସମର୍ଥକ ସାମିଲ ହୋଇଥିଲେ। ଡ. ବି.ଆର. ଆମ୍ବେଦକରଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ପରେ ରାଲି ବସୁନ୍ଧରା ଦୁର୍ଗାମଣ୍ଡପ ନିକଟରେ ପହଞ୍ଚିଥିଲା, ଯେଉଁଠାରେ ସାଧାରଣ ସଭା ହୋଇଥିଲା ।
ବିଜେଡିର ଅଭିଯୋଗ, MMDRର ସଂଶୋଧନ ଆଇନ ଖଣିଜ ସମ୍ପଦ ଉପରେ ରାଜ୍ୟର ଟିକସ, ସେସ୍ ଓ ଅନ୍ୟାନ୍ୟ ଶୁଳ୍କ ଆଦାୟ କ୍ଷମତାକୁ ସୀମିତ କରୁଛି। ଏହା ଓଡ଼ିଶାର ଆର୍ଥିକ ସ୍ୱାୟତ୍ତତା ଓ ସଂଘୀୟ ଅଧିକାର ଉପରେ ପ୍ରଭାବ ପକାଇବ ବୋଲି ଦଳ କହିଛି।ପ୍ରତିବାଦର ଅଂଶ ଭାବେ ରାଜଗାଙ୍ଗପୁର, ଦର୍ଲିପାଲି, ଜାମକାନି, ବସୁନ୍ଧରା, ଗର୍ଜନବାହାଲ, ସିଆରମାଲ ଓ କୁଲ୍ଡା ସମେତ ବିଭିନ୍ନ ଖଣି ଓ ଶିଳ୍ପାଞ୍ଚଳରେ ଆର୍ଥିକ ଅବରୋଧ କରାଯାଇଥିଲା।
ବିଜେଡି ନେତାମାନେ କହିଛନ୍ତି, ଓଡ଼ିଶାର ଖଣିଜ ସମ୍ପଦରୁ ମିଳୁଥିବା ରାଜସ୍ୱର ବଡ଼ ଅଂଶ ଖଣି ପ୍ରଭାବିତ ଅଞ୍ଚଳର ଶିକ୍ଷା, ସ୍ୱାସ୍ଥ୍ୟ, ରାସ୍ତା, ପାନୀୟ ଜଳ, ନିଯୁକ୍ତି ଓ ପରିବେଶ ପୁନରୁଦ୍ଧାରରେ ବ୍ୟୟ ହେବା ଆବଶ୍ୟକ। MMDR ସଂଶୋଧନ ନେଇ ରାଜ୍ୟର ଅଧିକାର ଓ ଆର୍ଥିକ ସ୍ୱାର୍ଥ ସୁରକ୍ଷିତ ନହେବା ପର୍ଯ୍ୟନ୍ତ ବିଜେଡି ତା’ର ଗଣତାନ୍ତ୍ରିକ ଆନ୍ଦୋଳନ ଜାରି ରଖିବ ବୋଲି ଦଳ ପକ୍ଷରୁ କୁହାଯାଇଛି।




