ଅକ୍ଟୋବର ୭ରେ ‘ସେବା ଜ୍ୟୋତି ଯାତ୍ରା’: ୨୫ ବର୍ଷର ସେବାକୁ ନେଇ ଦେଶବ୍ୟାପୀ କାର୍ଯ୍ୟକ୍ରମ

ଆସନ୍ତା ଅକ୍ଟୋବର ୭ ତାରିଖରେ ୨୫ ବର୍ଷ ସଫଳତାର ସହ ପୂରଣ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସେହି ଦିନ ଦେଶବ୍ୟାପୀ ‘ସେବା ଜ୍ୟୋତି ଯାତ୍ରା’ ଓ ‘ବିକଶିତ ଭାରତ ସଂକଳ୍ପ ସଭା’ ଆୟୋଜିତ ହେବାକୁ ଯାଉଛି । ଗରିବ, କୃଷକ, ମହିଳା ଓ ଯୁବବର୍ଗଙ୍କ ସଶକ୍ତୀକରଣ ସହ ଜଡିତ ଏହି ୨୫ ବର୍ଷର ନିରନ୍ତର ସେବା, ସୁଶାସନ, ଗରିବକଲ୍ୟାଣ ଓ ବିକାଶ ଗାଥାକୁ ସମାଜର ଶେଷ ଧାଡ଼ିରେ ଥିବା ବ୍ୟକ୍ତି ପାଖରେ ପହଞ୍ଚାଇବା ମୋଦୀ ସରକାରଙ୍କ ମୁଖ୍ୟ ଲକ୍ଷ୍ୟ ବୋଲି ରାଜ୍ୟ ଶିଳ୍ପ ବିଭାଗ ମନ୍ତ୍ରୀ ଶ୍ରୀ ସଂପଦ ଚନ୍ଦ୍ର ସ୍ୱାଇଁ କହିଛନ୍ତି ।
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନ ଗତ ସେପ୍ଟେମ୍ବର ୧୭ ରୁ ଆରମ୍ଭ ହୋଇଥିବା ମାସ ବ୍ୟାପୀ ‘ସେବା ସଂକଳ୍ପ ଅଭିଯାନ’ ଅନ୍ତର୍ଗତ ଦେଶବ୍ୟାପୀ ସେବା ଜ୍ୟୋତି ଯାତ୍ରା କାର୍ଯ୍ୟକ୍ରମ ଆସନ୍ତା ଅକ୍ଟୋବର ୭ ତାରିଖ ଦିନ ଆରମ୍ଭ ହେବ । ସେହିଦିନ ପୂର୍ବାହ୍ନ ୧୦ ଟା ରେ ମୋଦୀ ଆଭାସୀ ମାଧ୍ୟମରେ ଦେଶର ୭୫୦ଟି ଜିଲ୍ଲା ଏବଂ ରାଜ୍ୟ ମୁଖ୍ୟାଳୟରେ ଉପସ୍ଥିତ ସମବେତ ଜନତାଙ୍କୁ ସିଧାସଳଖ ସମ୍ବୋଧିତ କରିବେ । ଓଡିଶାରେ ରାଜଧାନୀ ଭୁବନେଶ୍ୱର ସମେତ ସମସ୍ତ ୩୦ଟି ଜିଲ୍ଲାରେ ଆୟୋଜିତ ହେବାକୁ ଥିବା ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ପ୍ରଭାରୀ ମନ୍ତ୍ରୀଙ୍କ ସହ ସ୍ଥାନୀୟ ଜନପ୍ରତିନିଧି ଏବଂ ଅତିଥିମାନେ ଯୋଗଦେବେ ।
ପ୍ରତ୍ୟେକ ଜିଲ୍ଲା ସଦର ମହକୁମାରେ “ସେବା ଜ୍ୟୋତି ଛକ’ ଚିହ୍ନଟ କରାଯାଇ ‘ବିକଶିତ ଭାରତ ସଂକଳ୍ପ ପ୍ରତୀକାତ୍ମକ ସ୍ଥାପନା କରାଯିବ । ଏହି ଅବସରରେ ଜିଲ୍ଲାର ସମସ୍ତ ବ୍ଲକ, ଗ୍ରାମ, ୱାର୍ଡ ଓ ମଣ୍ଡଳରୁ “ସେବା ଜ୍ୟୋତି ଯାତ୍ରା’ ବାହାରି ସେବା ଜ୍ୟୋତି ଛକଠାରେ ଏକତ୍ରିତ ହେବ । “ବିକଶିତ ଭାରତ ୨୦୪୭’ ପାଇଁ ସାମୂହିକ ସଂକଳ୍ପ ଗ୍ରହଣ କରାଯିବା ସହ ସାମୂହିକ “ବନ୍ଦେ ମାତରମ୍’ ଗାନ କରାଯିବ । ସେବା, ସମର୍ପଣ ଓ ସଂକଳ୍ପର ଏହି ଅଭିଯାନକୁ ଘରେ ଘରେ ପହଂଚାଇବା ସଂକଳ୍ପ ନେବା ଏବଂ ୨୦୪୭ ସୁଦ୍ଧା ଭାରତକୁ ଏକ ସମୃଦ୍ଧ ଓ ବିକଶିତ ରାଷ୍ଟ୍ରରେ ପରିଣତ କରିବା ପାଇଁ ସମାଜର ସବୁ ବର୍ଗର ଲୋକଙ୍କୁ ବିକଶିତ ଭାରତର ଏହି ମହାଯଜ୍ଞରେ ଆମେ ସମସ୍ତେ ନିଜ ନିଜର ଯୋଗଦାନ ଦେବାକୁ ମନ୍ତ୍ରୀ ଶ୍ରୀ ସ୍ୱାଇଁ ଆହ୍ୱାନ ଜଣାଇଛନ୍ତି ।ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସାଧାରଣ ସମ୍ପାଦକ ଶ୍ରୀ ସୀମାଞ୍ଚଳ ଖଟେଇ ଏବଂ ରାଜ୍ୟ ମୁଖପାତ୍ର ଶ୍ରୀ ରାଜେନ୍ଦ୍ର ପଣ୍ଡା ଉପସ୍ଥିତ ଥିଲେ ।




