
କେନ୍ଦ୍ରାପଡ଼ା ତିଖିରୀ ଗ୍ରାମପଞ୍ଚାୟତ ସରପଞ୍ଚ ଚାମେଲି ଓଝାଙ୍କୁ ମହାକାଳପଡ଼ା ବ୍ଲକ୍ କାର୍ଯ୍ୟାଳୟରେ ଦୁର୍ବ୍ୟବହାର ଓ ଆକ୍ରମଣ ଅଭିଯୋଗ ମାମଲା ଏବେ ନୂଆ ମୋଡ଼ ନେଇଛି। ଘଟଣାର ତଦନ୍ତ ପାଇଁ ଆଜି କେନ୍ଦ୍ରାପଡ଼ା ଆସୁଛି ଜାତୀୟ ମାନବାଧିକାର କମିଶନ୍ ବା ଏନ୍ଏଚ୍ଆର୍ସିର ୩ ଜଣିଆ ପ୍ରତିନିଧି ଦଳ।ଏନ୍ଏଚ୍ଆର୍ସି ଟିମ୍ ଘଟଣାର ସତ୍ୟାସତ୍ୟ ଯାଞ୍ଚ କରିବା ସହ ମାମଲା ସହ ଜଡ଼ିତ ବିଭିନ୍ନ ପକ୍ଷଙ୍କୁ ପଚରାଉଚରା କରିବ। ମହାକାଳପଡ଼ା ବିଡିଓ, ସ୍ଥାନୀୟ ପୁଲିସ ଅଧିକାରୀ, ଘଟଣା ସମୟରେ ଉପସ୍ଥିତ ପ୍ରତ୍ୟକ୍ଷଦର୍ଶୀ ଏବଂ ସମ୍ପୃକ୍ତ ଡାକ୍ତରଙ୍କ ବୟାନ ରେକର୍ଡ କରାଯିବ।
ଗତ ଜୁନ୍ ୧୧ ତାରିଖରେ ମହାକାଳପଡ଼ା ବ୍ଲକ୍ ଗ୍ରାମ୍ୟ ଉନ୍ନୟନ ଅଧିକାରୀଙ୍କ ଚାମ୍ବର ଭିତରେ ତାଙ୍କୁ ଦୁର୍ବ୍ୟବହାର ଓ ଆକ୍ରମଣ କରାଯାଇଥିବା ନେଇ ସରପଞ୍ଚ ଚାମେଲି ଓଝା ଅଭିଯୋଗ କରିଥିଲେ। ଘଟଣାକୁ ନେଇ ସେ ନ୍ୟାୟ ଦାବି କରିଥିଲେ।ତେବେ ଅନ୍ୟପକ୍ଷରୁ ମଧ୍ୟ ସରପଞ୍ଚଙ୍କ ବିରୋଧରେ ପାଲଟା ଦୁର୍ବ୍ୟବହାର ଅଭିଯୋଗ ଆସିଥିଲା। ଏହାପରେ ପୁଲିସ ଚାମେଲି ଓଝାଙ୍କୁ ଡାକ୍ତରଖାନା ଶଯ୍ୟାରୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ପରେ ସେ ଜାମିନରେ ମୁକୁଳିଥିଲେ।
ଘଟଣାରେ ନ୍ୟାୟ ଦାବି କରି ଚାମେଲି ଓଝା ଭୁବନେଶ୍ୱର ଲୋୟର ପିଏମ୍ଜିରେ ଅନଶନ ମଧ୍ୟ କରିଥିଲେ। ମାମଲାକୁ ନେଇ ନ୍ୟାୟ ଓ ନିରପେକ୍ଷ ତଦନ୍ତ ଦାବି ଜୋର ଧରିଥିଲା।ଏବେ ଏହି ସମ୍ବେଦନଶୀଳ ଘଟଣାରେ ଏନ୍ଏଚ୍ଆର୍ସିର ୩ ଜଣିଆ ଟିମ୍ର ତଦନ୍ତକୁ ନେଇ ବଢ଼ିଛି ଗୁରୁତ୍ୱ। କେଉଁ ପରିସ୍ଥିତିରେ ଘଟଣା ଘଟିଥିଲା, କାହାର ଭୂମିକା କଣ ଥିଲା ଏବଂ ଅଭିଯୋଗର ସତ୍ୟତା କେତେ ସେସବୁ ଦିଗକୁ ତଦନ୍ତ କରିବ ଏନ୍ଏଚ୍ଆର୍ସି ଟିମ୍।ତେବେ ଏନ୍ଏଚ୍ଆର୍ସି ତଦନ୍ତ ପରେ ଘଟଣାର ପ୍ରକୃତ ସତ୍ୟ ସାମ୍ନାକୁ ଆସିବା ସହ ମାମଲାରେ ନୂଆ ଦିଗ ଖୋଲିବ ବୋଲି ଆଶା କରାଯାଉଛି।




