ଓଡ଼ିଶା

ପୁରୀରେ ରାଷ୍ଟ୍ରୀୟ ହିନ୍ଦୁ ସଂଗଠନର ୧୪ତମ ପ୍ରତିଷ୍ଠା ଦିବସ

ପୁରୀ ଶ୍ରୀକ୍ଷେତ୍ରରେ ରାଷ୍ଟ୍ରୀୟ ହିନ୍ଦୁ ସଂଗଠନର ୧୪ତମ ପ୍ରତିଷ୍ଠା ଦିବସ ଏବଂ ଦୁଇଦିନିଆ ଜାତୀୟ ଅଧିବେଶନ ସମ୍ପନ୍ନ ହୋଇଛି।ଦେଶର ବିଭିନ୍ନ ରାଜ୍ୟରୁ ଜାତୀୟ ଓ ପ୍ରାଦେଶିକ ପଦାଧିକାରୀ, ସାଧୁ-ସନ୍ଥ ଏବଂ ପ୍ରାୟ ୪୦୦ କାର୍ଯ୍ୟକର୍ତ୍ତା ଏଥିରେ ସାମିଲ ହୋଇଥିଲେ।ଦୁଇଦିନିଆ ବୈଠକରେ ସଂଗଠନର ବିସ୍ତାର, ସାମାଜିକ ସେବା, ସନାତନ ସଂସ୍କୃତି, ଆଧ୍ୟାତ୍ମିକ ଚେତନା, ସାଂଗଠନିକ ଶୃଙ୍ଖଳା ଓ ଭବିଷ୍ୟତ କାର୍ଯ୍ୟଯୋଜନା ଉପରେ ଆଲୋଚନା ହୋଇଥିଲା।

ପ୍ରଥମ ଦିନରେ ଚାରିଟି ପ୍ରମୁଖ ଅଧିବେଶନରେ ସଂଗଠନର ଆଗାମୀ ରଣନୀତି, ସଦସ୍ୟତା ବୃଦ୍ଧି, ଜନସମ୍ପର୍କ ଏବଂ ବିଭିନ୍ନ ପ୍ରକୋଷ୍ଠକୁ ଅଧିକ ସକ୍ରିୟ କରିବା ନେଇ ମନ୍ଥନ ହୋଇଥିଲା।ଦ୍ୱିତୀୟ ଦିନରେ ଧ୍ୱଜାରୋହଣ ଓ ସମୁଦ୍ର ପୂଜନ ପରେ ବିଭିନ୍ନ ରାଜ୍ୟରୁ ଆସିଥିବା ପ୍ରତିନିଧିମାନେ ସାମୂହିକ ଭାବେ ଶ୍ରୀଜଗନ୍ନାଥ ମନ୍ଦିର ପରିକ୍ରମା କରିଥିଲେ।ପୁରୀ ଟାଉନ୍ ହଲ୍‌ରେ ହୋଇଥିବା ସମାପନ ସମାରୋହରେ ରାଷ୍ଟ୍ରବାଦ, ସନାତନ ସଂସ୍କୃତି, ଆଧ୍ୟାତ୍ମିକ ଚେତନା ଓ ସାମାଜିକ ସେବା ଭଳି ପ୍ରସଙ୍ଗ ଉପରେ ବକ୍ତାମାନେ ମତ ରଖିଥିଲେ।

ସଂଗଠନର ଜାତୀୟ ଅଧ୍ୟକ୍ଷ ସତ୍ୟେନ୍ଦ୍ର ଦୁବେ ଏବଂ ଓଡ଼ିଶା ପ୍ରଦେଶ ଅଧ୍ୟକ୍ଷ ଡା. ସୁନୀତି ମୁଣ୍ଡଙ୍କ ସମେତ ବହୁ ପଦାଧିକାରୀ ଓ ସାଧୁ-ସନ୍ଥ ଏହି ସମାରୋହରେ ଉପସ୍ଥିତ ଥିଲେ।ଶଙ୍ଖନାଦ ସହ ଦୁଇଦିନିଆ ଏହି ଜାତୀୟ ଅଧିବେଶନର ସମାପନ ହୋଇଥିଲା।

Related Articles

Back to top button