
ଭୁବନେଶ୍ୱର, ମହାନଦୀ ଜଳ ବଣ୍ଟନକୁ ନେଇ ଦୁଇ ରାଜ୍ୟ ମଧ୍ୟରେ, ଦୀର୍ଘବର୍ଷ ଧରି ବିବାଦ ଚାଲିଆସୁଛି। ଛତିଶଗଡ଼ରେ ମହାନଦୀର ଉପରମୁଣ୍ଡରେ ନିର୍ମାଣ ହୋଇଥିବା ବ୍ୟାରେଜ୍ ଏବଂ ତଳମୁଣ୍ଡରେ, ଜଳ ପ୍ରବାହକୁ ନେଇ ଓଡ଼ିଶା ପକ୍ଷରୁ, ଆପତ୍ତି ଉଠାଯାଇଛି। ଏହି ବିବାଦ ୨୦୧୮ରୁ ମହାନଦୀ ଜଳ ବିବାଦ ଟ୍ରିବ୍ୟୁନାଲ୍ରେ ବିଚାରାଧୀନ ରହିଛି।ଓଡ଼ିଶା-ଛତିଶଗଡ଼ ମହାନଦୀ ଜଳ ବିବାଦର ସମାଧାନ ପାଇଁ ଆଜି ନୂଆଦିଲ୍ଲୀରେ, ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ହେଉଛି। କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ଅଧ୍ୟକ୍ଷତାରେ, ହେଉଥିବା ଏହି ବୈଠକରେ ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଓ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ବିଷ୍ଣୁ ଦେବ ସାଏ ଯୋଗଦେଉଛନ୍ତି।ସେପ୍ଟେମ୍ବର ୨୦ରେ ଓଡ଼ିଶା ଗସ୍ତରେ, ଆସିଥିବା ଛତିଶଗଡ଼ ମୁଖ୍ୟମନ୍ତ୍ରୀ ବିଷ୍ଣୁ ଦେବ ସାଏ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସହ ମହାନଦୀ ପ୍ରସଙ୍ଗରେ ଆଲୋଚନା କରିଥିଲେ। ଆଲୋଚନା ପରେ ସାଏ ଏହି ବିବାଦର ସମାଧାନ ଶୀଘ୍ର ହୋଇପାରେ, ବୋଲି ଆଶା ପ୍ରକାଶ କରିଥିଲେ।ଆଜିର ବୈଠକରେ ମହାନଦୀ ଜଳର ନ୍ୟାୟସଙ୍ଗତ ବଣ୍ଟନ ଏବଂ ଜଳ ପରିଚାଳନା ନେଇ, ଆଲୋଚନା ହେବ। କେନ୍ଦ୍ରୀୟ ଜଳ ଆୟୋଗ, ଏହି ଆଲୋଚନାରେ ବୈଷୟିକ ସହଯୋଗ ଦେଉଛି। ଦୁଇ ରାଜ୍ୟ ମଧ୍ୟରେ ଆପୋସ ବୁଝାମଣା ମାଧ୍ୟମରେ, ସମାଧାନର ରାସ୍ତା ଖୋଜିବା ଉପରେ ଗୁରୁତ୍ୱ ରହିଛି।




