ଓଡ଼ିଶାବନ୍ୟା

ଭୋଗରାଇରେ ଥମୁନି ବନ୍ୟା ବିପତ୍ତି, ୩୦ରୁ ଅଧିକ ଗାଁ ଏବେ ବି ଜଳବନ୍ଦୀ

ନଦୀର ଜଳସ୍ତର କମୁଥିଲେ ବି ତଳିଆ ଅଞ୍ଚଳରୁ ହଟୁନି ବନ୍ୟା ପାଣି। ଏବେ ବି ୧୦ଟି ପଞ୍ଚାୟତର ୩୦ରୁ ଅଧିକ ଗାଁ ଜଳବନ୍ଦୀ ହୋଇ ରହିଛି। ଅନେକ ରାସ୍ତା ଉପରେ ପ୍ରାୟ ୩ ଫୁଟ ଉଚ୍ଚରେ ପାଣି ଚାଲୁଥିବାରୁ ଯାତାୟାତ ପ୍ରଭାବିତ ହୋଇଛି ।କଚୁଆଡି, ସିଆରୁଈବ, କୁଳିଦା, କୁସୁଡ଼ା, ଗବଗାଁ, ନାଛିଣ୍ଡା ଓ ପୁଟିନା ସମେତ ବିଭିନ୍ନ ପଞ୍ଚାୟତରେ ବନ୍ୟା ସ୍ଥିତି ଏବେ ବି ଗମ୍ଭୀର। ନଦୀକୂଳିଆ ଅଞ୍ଚଳର କୁମ୍ଭୀରଗଡ଼ି ଓ ଆରୁହାବର୍ତ୍ତୀ ଭଳି ଅଞ୍ଚଳରୁ ଧୀରେ ଧୀରେ ପାଣି ଛାଡ଼ିବା ଆରମ୍ଭ କରିଛି। କିନ୍ତୁ ତଳିଆ ଅଞ୍ଚଳର ଅନେକ ଗାଁ ଓ ରାସ୍ତାରେ ଏବେ ବି ପାଣି ଜମି ରହିଛି।

ନଦୀର ଜଳସ୍ତର କମୁଥିବା ସତ୍ତ୍ୱେ ବନ୍ୟା ପାଣି ସମ୍ପୂର୍ଣ୍ଣ ଛାଡ଼ିନଥିବାରୁ ଲୋକଙ୍କ ଦୁର୍ଦ୍ଦଶା ବଢ଼ିଛି। ଯାତାୟାତଠାରୁ ଆରମ୍ଭ କରି ଦୈନନ୍ଦିନ ଜୀବନ ସବୁକିଛି ପ୍ରଭାବିତ ହୋଇଛି। ସେପଟେ ଭଦ୍ରକ ଜିଲ୍ଲା ବାସୁଦେବପୁରରେ ମଧ୍ୟ ବନ୍ୟା ସ୍ଥିତି ଚିନ୍ତାଜନକ। କାଂଶବାଂଶ ଓ ଗମେଇ ନଦୀରେ ଆସିଥିବା ପଞ୍ଚମ ବନ୍ୟା ପାଣିରେ ଏକାଧିକ ପଞ୍ଚାୟତ ପ୍ରଭାବିତ ହୋଇଛି।ଅଢୁଆଁ ପଞ୍ଚାୟତର ମକରାପଡ଼ାରେ ପ୍ରାୟ ୩୪ ଜଣ ଲୋକ ୪ ଦିନ ଧରି ଜଳବନ୍ଦୀ ହୋଇ ରହିଥିଲେ। ପରେ ଅଗ୍ନିଶମ ବାହିନୀ ପହଞ୍ଚି ସେମାନଙ୍କୁ ଉଦ୍ଧାର କରିଛି। ଉଦ୍ଧାର ହୋଇଥିବା ଲୋକଙ୍କୁ ବାତ୍ୟା ଆଶ୍ରୟସ୍ଥଳୀରେ ରଖାଯାଇଛି।

ଭୋଗରାଇ ଓ ବାସୁଦେବପୁରରେ ବନ୍ୟା ପାଣି କମିବା ଆରମ୍ଭ କରିଥିଲେ ମଧ୍ୟ ସ୍ୱାଭାବିକ ହୋଇନି ଜନଜୀବନ। ପାଣି ସମ୍ପୂର୍ଣ୍ଣ ଛାଡ଼ିବା ଓ ଯାତାୟାତ ସ୍ୱାଭାବିକ ହେବାକୁ ଅପେକ୍ଷା କରିଛନ୍ତି ପ୍ରଭାବିତ ଅଞ୍ଚଳବାସୀ।

 

 

 

 

Related Articles

Back to top button