ଓଡ଼ିଶାସ୍ୱାସ୍ଥ୍ୟ

କର୍କଟ ରୋଗୀଙ୍କ ପାଇଁ ମାଗଣା ପାଲିଏଟିଭ୍ କେୟାର ଓପିଡି ଉଦ୍‌ଘାଟିତ

କାୟା ବିସ୍ତାର କରିଚାଲିଛି କର୍କଟ ରୋଗ । ବଢିଚାଲିଛି ରୋଗୀଙ୍କ ସଂଖ୍ୟା | ଏହାକୁ ଦୃଷ୍ଟିରେ ରଖି ଭୁବନେଶ୍ୱର ମହାନଗର ନିଗମ ବଡ଼ ପଦକ୍ଷେପ ନେଇଛି | ଭୁବନେଶ୍ୱର ମହାନଗର ନିଗମ ମଲ୍ଟିସ୍ପେସିଆଲିଟି ହସ୍ପିଟାଲରେ ଉଦଘାଟିତ ହୋଇଛି ଉନ୍ନତ ପର୍ଯ୍ୟାୟର କର୍କଟ ରୋଗୀଙ୍କ ପାଇଁ ସ୍ୱତନ୍ତ୍ର ଓପିଡି । ବାଗଚି କରୁଣାଶ୍ରୟ ପାଲିଏଟିଭ୍ କେୟାର ପକ୍ଷରୁ ଏଠାରେ ଏକ ଶାଖା ଖୋଲାଯାଇଛି । ଉନ୍ନତ ପର୍ଯ୍ୟାୟର କର୍କଟ ରୋଗୀଙ୍କ ପାଇଁ ଲକ୍ଷଣ ପରିଚାଳନା ଏବଂ ସହାନୁଭୂତିପୂର୍ଣ୍ଣ ‘ପାଲିଏଟିଭ୍ କେୟାର’ (ରୋଗର ଲକ୍ଷଣ ଓ ଯନ୍ତ୍ରଣା ଉପଶମକାରୀ ଚିକିତ୍ସା) ପ୍ରଦାନ କ୍ଷେତ୍ରରେ ଦକ୍ଷତା ରଖୁଥିବା ଏକ ଅଗ୍ରଣୀ ସଂସ୍ଥା ‘କରୁଣାଶ୍ରୟ’, ଏକ ନୂତନ ଓ ସମ୍ପୂର୍ଣ୍ଣ ମାଗଣା ‘ପାଲିଏଟିଭ୍ କେୟାର ଓପିଡି’ (OPD)ର ଶୁଭାରମ୍ଭ କରିଛି।

୨୦୨୧ ମସିହାରୁ କରୁଣାଶ୍ରୟ ସମଗ୍ର ଓଡ଼ିଶାରେ ମାଗଣା ପାଲିଏଟିଭ୍ କେୟାର ସେବା ଯୋଗାଇ ଆସୁଛି ଏବଂ ଏହାର ଇନପେସେଣ୍ଟ ବିଭାଗ (IPD), ଆଉଟପେସେଣ୍ଟ ବିଭାଗ (OPD) ଓ ‘ହୋମ୍ କେୟାର’ (ଘରୋଇ ସେବା) ମାଧ୍ୟମରେ ୩,୦୦୦ରୁ ଅଧିକ ରୋଗୀଙ୍କୁ ସହାୟତା ପ୍ରଦାନ କରିଛି।ଏହି ନୂତନ ଓପିଡିର ଲକ୍ଷ୍ୟ ହେଉଛି ଉନ୍ନତ ପର୍ଯ୍ୟାୟର କର୍କଟ ରୋଗ ଜନିତ ଜଟିଳ ଶାରୀରିକ, ଭାବଗତ ଏବଂ ସାମାଜିକ ଆହ୍ୱାନର ସମ୍ମୁଖୀନ ହେଉଥିବା ରୋଗୀ ଓ ସେମାନଙ୍କ ପରିବାରର ଜୀବନଧାରଣର ମାନରେ ଉନ୍ନତି ଆଣିବା। ଏହି ଓପିଡିରେ ସମସ୍ତ ସେବା ସମ୍ପୂର୍ଣ୍ଣ ମାଗଣାରେ ଯୋଗାଇ ଦିଆଯିବ, ଯାହା ଫଳରେ ରୋଗୀମାନେ ଆର୍ଥିକ ବାଧାବିଘ୍ନ ବିନା ବିଶେଷଜ୍ଞ ଚିକିତ୍ସା ସେବା ପାଇପାରିବେ।

ଏହି ସ୍ୱତନ୍ତ୍ର ଓପିଡିର ଉଦ୍ଘାଟନ କାର୍ଯ୍ୟକ୍ରମରେ ବିଏମସିର ମାନନୀୟା ମେୟର ଶ୍ରୀମତୀ ସୁଲୋଚନା ଦାସ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ ଅନ୍ୟତମ ଅତିଥି ଭାବେ ଡେପୁଟି ମେୟର ଶ୍ରୀମତୀ ମଂଜୁଲତା କହଁର, ବିଏମସି ହସ୍ପିଟାଲର ସିଏମ୍ଏମ୍ଓ (CMMO) ଡାକ୍ତର ସିଦ୍ଧାର୍ଥ ଶଙ୍କର ରାୟ ଏବଂ ବାଙ୍ଗାଲୋର ହସ୍ପିସ୍ ଟ୍ରଷ୍ଟ-କରୁଣାଶ୍ରୟର ମେଡିକାଲ୍ ଡାଇରେକ୍ଟର ଡାକ୍ତର ଶ୍ରୀନାଗେଶ ସିଂହ, ସ୍ୱାସ୍ଥ୍ୟ ଓ ପରିମଳ ଷ୍ଟାଣ୍ଡିଂ କମିଟି ଅଧ୍ୟକ୍ଷ ଶ୍ରୀ ବିରଞ୍ଚି ନାରାୟଣ ମହାସୂପକାର, ସ୍ଥାନୀୟ କର୍ପୋରେଟର ଶ୍ରୀ ଶିବ ପ୍ରସାଦ ବେହେରା, ଶ୍ରୀ ଶିବ ଶଙ୍କର ରାୟ, ଶ୍ରୀ ଚନ୍ଦ୍ର ଶେଖର ମଲ୍ଲିଆଙ୍କ ସମେତ କରୁଣାଶ୍ରୟର ପ୍ରମୁଖ ଚିକିତ୍ସା ବିଶେଷଜ୍ଞମାନେ ଉପସ୍ଥିତ ଥିଲେ ।

 

 

Related Articles

Back to top button