
ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପବିତ୍ର ଧାମ ପୁରୀରେ ଆସନ୍ତା ୨୯ ଓ ୩୦ ସେପ୍ଟେମ୍ବର ୨୦୨୬ ତାରିଖରେ ଜାତୀୟ ହିନ୍ଦୁ ସଂଗଠନର ବାର୍ଷିକ ଜାତୀୟ ଅଧିବେଶନ ଏବଂ ୧୪ତମ ପ୍ରତିଷ୍ଠା ଦିବସ ସମାରୋହ ଅନୁଷ୍ଠିତ ହେବ। ୩୦ ସେପ୍ଟେମ୍ବର ୨୦୧୩ରେ ସନାତନ ଧର୍ମର ପ୍ରଚାର-ପ୍ରସାର, ସଂରକ୍ଷଣ, ସାମାଜିକ ସଂଗଠନ ଏବଂ ସନାତନୀ ସମାଜର ଅଧିକାରର ସୁରକ୍ଷାର ସଂକଳ୍ପ ନେଇ ଆରମ୍ଭ ହୋଇଥିବା ସଂଗଠନର ୧୩ ବର୍ଷର ଯାତ୍ରା ଏବେ ଏକ ନୂଆ ପର୍ଯ୍ୟାୟରେ ପ୍ରବେଶ କରୁଛି। କିଶୋରାବସ୍ଥାରୁ ସଂଗଠନ ଏବେ ଯୁବାବସ୍ଥାର ଉର୍ଜାମୟ ପର୍ଯ୍ୟାୟରେ ପ୍ରବେଶ କରୁଛି।
ଜାତୀୟ ହିନ୍ଦୁ ସଂଗଠନର ମତ ହେଉଛି, ସନାତନୀ ସମାଜ ନିଜର ଅଧିକାର, ସାଂସ୍କୃତିକ ଅସ୍ମିତା ଏବଂ ଭବିଷ୍ୟତ ସହ ଜଡ଼ିତ ପ୍ରଶ୍ନଗୁଡ଼ିକ ଉପରେ ସଂଗଠିତ ହୋଇ ଗଣତାନ୍ତ୍ରିକ ଭାବରେ ନିଜର ସ୍ୱର ଉଠାଇବା ଆବଶ୍ୟକ।ସଂଗଠନର ମତାନୁସାରେ, ସମୟବିଶେଷର ଆବଶ୍ୟକତା ଅନୁଯାୟୀ ସୃଷ୍ଟି ହୋଇଥିବା ସାମାଜିକ ବିଭାଜନର ରାଜନୈତିକ ବ୍ୟବହାର ଫଳରେ ସନାତନୀ ସମାଜର ସାମୂହିକ ସ୍ୱର ଦୁର୍ବଳ ହୋଇଛି। ତେଣୁ ଗଣତାନ୍ତ୍ରିକ ଏବଂ ସାମାଜିକ ଅଂଶଗ୍ରହଣ ମାଧ୍ୟମରେ ନିଜ ସ୍ୱାର୍ଥ ଓ ଅଧିକାରର ପ୍ରଭାବଶାଳୀ ଅଭିବ୍ୟକ୍ତି ଆବଶ୍ୟକ।
ଆଗାମୀ ଦିନରେ ସନାତନ ସମାଜ ପାଇଁ ସମ୍ଭାବ୍ୟ ରାଜନୈତିକ ବିକଳ୍ପ ସମ୍ପର୍କରେ ସଂଗଠନ ଗମ୍ଭୀର ଭାବରେ ବିଚାରବିମର୍ଶ କରିବ। ବ୍ୟାପକ ଆଲୋଚନା ଓ ଗଣତାନ୍ତ୍ରିକ ପ୍ରକ୍ରିୟା ମାଧ୍ୟମରେ ଏହାର ଆବଶ୍ୟକତା ଅନୁଭୂତ ହେଲେ, ସଂଗଠନର କାର୍ଯ୍ୟକର୍ତ୍ତାମାନେ ସଂସଦ ଓ ବିଧାନସଭାରେ ପହଞ୍ଚି ସମାଜ ସମ୍ପର୍କିତ ପ୍ରଶ୍ନଗୁଡ଼ିକୁ ଉଠାଇବା ଦିଗରେ ଆଗକୁ ବଢ଼ିବେ।ଏହା କୌଣସି ଦଳ, ବ୍ୟକ୍ତି କିମ୍ବା ସମୁଦାୟ ବିରୋଧରେ ଅଭିଯାନ ନୁହେଁ; ବରଂ ଅଧିକାର, ସଂସ୍କୃତି, ପରିଚୟ ଓ ସାମାଜିକ ଏକତା ପାଇଁ ସାମ୍ବିଧାନିକ ଏବଂ ଗଣତାନ୍ତ୍ରିକ ପ୍ରୟାସ।
ଜାତୀୟ ହିନ୍ଦୁ ସଂଗଠନ ହିନ୍ଦୁ ରାଷ୍ଟ୍ରର ଧାରଣା ଉପରେ ତଥ୍ୟଭିତ୍ତିକ, ଶାନ୍ତିପୂର୍ଣ୍ଣ ଏବଂ ସାମ୍ବିଧାନିକ ମର୍ଯ୍ୟାଦା ମଧ୍ୟରେ ଜାତୀୟ ସ୍ତରରେ ବିଚାରବିମର୍ଶ ପାଇଁ ଆହ୍ୱାନ ଜଣାଇଛି।ମତାନୁସାରେ, ଏହି ଧାରଣା ସନାତନ ସାଂସ୍କୃତିକ ମୂଲ୍ୟବୋଧ, ଧର୍ମ, କର୍ତ୍ତବ୍ୟ, ନ୍ୟାୟ, ସମରସତା ଓ ରାଷ୍ଟ୍ରବୋଧ ସହିତ ସମ୍ପୃକ୍ତ। ଏହା କୌଣସି ବ୍ୟକ୍ତି କିମ୍ବା ସମୁଦାୟ ବିରୋଧୀ ନୁହେଁ ବୋଲି ସଂଗଠନ ପକ୍ଷରୁ କୁହାଯାଇଛି।ପ୍ରେସ୍ ମିଟ୍ରେ ଜାତୀୟ ହିନ୍ଦୁ ସଂଗଠନର ରାଷ୍ଟ୍ରୀୟ ଅଧ୍ୟକ୍ଷ ଶ୍ରୀ ସତ୍ୟେନ୍ଦ୍ର ଦୁବେ, ପ୍ରଦେଶ ଅଧ୍ୟକ୍ଷ ଡଃ ସୁନୀତି ମୁଣ୍ଡ, ରାଷ୍ଟ୍ରୀୟ ମିଡିଆ ପ୍ରଭାରୀ ଶ୍ରୀ ସାରାଂଶ ନିଗମ, ଶ୍ରୀ ମହେନ୍ଦ୍ର ନାଥ ମିଶ୍ର, ଟି.ବିଜୟ, ଶ୍ରୀ ମୀନକେତନ ମିଶ୍ର, ଭେଟେରାନ୍ ବିଦ୍ୟାଧର ନାୟକ ଏବଂ ଚିତ୍ରସେନ ରାଉତରାୟଙ୍କ ଗରିମାମୟ ଉପସ୍ଥିତି ରହିଥିଲା।




