Uncategorized

ଓଡ଼ିଶାରେ ୧ ଲକ୍ଷ କୋଟି ନିବେଶ କରିବ ବେଦାନ୍ତ

ଭୁବନେଶ୍ୱର: ପଶ୍ଚିମ ଓଡ଼ିଶାରେ ଏକ ବିଶାଳ ୧୦୦୦ ଶଯ୍ୟା ବିଶିଷ୍ଟ ହସ୍ପିଟାଲ ପ୍ରତିଷ୍ଠା କରିବାକୁ ଯାଉଛି ବେଦାନ୍ତ ଗ୍ରୁପ୍। ଏ ନେଇ ବେଦାନ୍ତ ଗ୍ରୁପ୍‌ର ଅଧ୍ୟକ୍ଷ ଅନିଲ ଅଗ୍ରୱାଲ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ପ୍ରସ୍ତାବ ଦେଇଛନ୍ତି। ଏହାସହ ଢେଙ୍କାନାଳରେ ୩ ମିଲିୟନ୍ ଟନ୍ କ୍ଷମତା ବିଶିଷ୍ଟ ଏକ ଆଲୁମିନିୟମ୍ ସ୍ମେଲଟର ପ୍ଲାଣ୍ଟ ପ୍ରତିଷ୍ଠା ପାଇଁ କମ୍ପାନୀ ଯୋଜନା କରିଛି, ଯାହା ପାଇଁ ରାଜ୍ୟ ସରକାର ୫୦୦ ଏକର ଜମି ଯୋଗାଇ ଦେଇଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା ସମୟରେ ଶ୍ରୀ ଅଗ୍ରୱାଲ ସିଜିମାଳୀ ଓ କର୍ଲାପାଟ ଖଣିକୁ ଶୀଘ୍ର କାର୍ଯ୍ୟକ୍ଷମ କରିବା ନେଇ ମଧ୍ୟ ଗୁରୁତ୍ୱାରୋପ କରିଛନ୍ତି। ଏକ ସାମ୍ବାଦିକ ସମ୍ମିଳନୀରେ ସେ କହିଛନ୍ତି ଯେ, ଓଡ଼ିଶାରେ ବିଶ୍ୱର ସର୍ବୋତ୍ତମ ମାନର ବକ୍ସାଇଟ୍ ମିଳୁଥିଲେ ବି ଭାରତକୁ ଆଲୁମିନିୟମ୍ ଉତ୍ପାଦନ ପାଇଁ ଏବେ ବି ବିଦେଶ ଉପରେ ନିର୍ଭର କରିବାକୁ ପଡ଼ୁଛି। ତେବେ ‘ଆତ୍ମନିର୍ଭର ଭାରତ’ ନୀତି ଯୋଗୁଁ ଏହି ନିର୍ଭରଶୀଳତା ହ୍ରାସ ପାଇବ। ଓଡ଼ିଶା ସହ ବେଦାନ୍ତର ସମ୍ପର୍କ ବହୁ ପୁରୁଣା ଦର୍ଶାଇ ସେ କହିଛନ୍ତି ଯେ, ରାଜ୍ୟରେ ଶିଳ୍ପ ବିକାଶ ଓ ନୂତନ ରୋଜଗାର ସୃଷ୍ଟି କରିବା କମ୍ପାନୀର ମୁଖ୍ୟ ଲକ୍ଷ୍ୟ। ଓଡ଼ିଶାର ପାୱାର, ରିଫାଇନାରୀ ଓ ସ୍ମେଲଟର କ୍ଷେତ୍ରରେ ମୋଟ ପ୍ରାୟ ୧ ଲକ୍ଷ କୋଟି ଟଙ୍କା ନିବେଶ କରିବାକୁ ଯୋଜନା ରହିଛି। ଏହି ନିବେଶରୁ ସ୍ମେଲଟର କ୍ଷେତ୍ରରେ ୪୦ ପ୍ରତିଶତ ଏବଂ ପାୱାର ଓ ରିଫାଇନାରୀ କ୍ଷେତ୍ରରେ ୩୦ ପ୍ରତିଶତ ଲେଖାଏଁ ପୁଞ୍ଜି ବିନିଯୋଗ କରାଯିବ।

Related Articles

Back to top button