ମନ୍ତ୍ରୀଙ୍କ ବଡ଼ ବୟାନ: ଅକ୍ଟୋବରରେ ଭତ୍ତା ମିଳିବ ।

ମିଳୁନି ଭତ୍ତା । କାହାର ଦୁଇ ମାସ ତ ଆଉ କାହାର ଚାରି ମାସ ହେବ ଆକାଉଣ୍ଟ ଆସୁନି ଭତ୍ତା ଟଙ୍କା । ନାହିଁ ନଥିବା ଅସୁବିଧାର ସମୁଖୀନ ହେଉଛନ୍ତି ହିତାଧିକାରୀ । ଏ ନେଇ ବାରମ୍ବାର ବ୍ୟାଙ୍କ ଦୌଡ଼ୁଛନ୍ତି ! ହେଲେ ଭତ୍ତା ଅକ୍ଟୋବର ମାସ ସୁଦ୍ଧା ମିଳିଯିବ ବୋଲି ବିଧାନସଭାରେ ଏନେଇ ସୂଚନା ଦେଇଛନ୍ତି ସାମାଜିକ ସୁରକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ । କେବଳ ବକେୟା ଭତ୍ତା ନୁହେଁ ନିୟମିତ ଭତ୍ତା ମିଳିବ ବୋଲି ମଧ୍ୟ କହିଛନ୍ତି |
ରାଜ୍ୟରେ ଇନ୍ଦିରା ଗାନ୍ଧୀ ଜାତୀୟ ଭତ୍ତା ଯୋଜନାରେ ମୋଟ ୨୦ ଲକ୍ଷ ୩୩ ହଜାର ୯୫୯ ଜଣ ହିତାଧିକାରୀ ରହିଛନ୍ତି । କିଛି ହିତାଧିକାରୀଙ୍କୁ ଗତ ୪ ମାସ ହେବ ଭତ୍ତା ମିଳିନଥିବା ବେଳେ ବିଭିନ୍ନ ବୈଷୟିକ ତ୍ରୁଟି ଯୋଗୁଁ ଏହି ସମସ୍ୟା ହୋଇଥିବା ମନ୍ତ୍ରୀ କହିଛନ୍ତି । ସମସ୍ୟାର ସମାଧାନ ପାଇଁ ରାଜ୍ୟ ସରକାର, ଅର୍ଥ ବିଭାଗ, କେନ୍ଦ୍ର ସରକାର ଓ ଟ୍ରେଜେରୀର ମିଳିତ ସହଯୋଗରେ ପଦକ୍ଷେପ ନିଆଯାଉଛି । ଆସନ୍ତା ଅକ୍ଟୋବର ସୁଦ୍ଧା ବଞ୍ଚିତ ହିତାଧିକାରୀଙ୍କୁ ବକେୟା ଅର୍ଥ ସହ ନିୟମିତ ଭତ୍ତା ପ୍ରଦାନ ପାଇଁ ପ୍ରକ୍ରିୟା ଜାରି ରହିଥିବା ମନ୍ତ୍ରୀ ସ୍ପଷ୍ଟ କରିଛନ୍ତି ।




