କ୍ରିକେଟ୍ରେ ନେପାଳର ବିଜୟ: କ୍ରିକେଟରେ ଆଫଗାନିସ୍ତାନକୁ ପରାସ୍ତ କଲା ନେପାଳ


ନୂଆଦିଲ୍ଲୀ: ୨୦୨୬ ଏସୀୟ କ୍ରୀଡ଼ାରେ ଏକ ବଡ଼ ବିପର୍ଯ୍ୟୟ ଘଟାଇଛି ନେପାଳ। କ୍ରିକେଟ୍ ମ୍ୟାଚ୍ରେ ଶକ୍ତିଶାଳୀ ଆଫଗାନିସ୍ତାନକୁ ୫ ୱିକେଟ୍ରେ ପରାସ୍ତ କରି ନେପାଳ ସମସ୍ତ କ୍ରିକେଟ ପ୍ରଶଂସକଙ୍କୁ ଚକିତ କରିଦେଇଛି। ଜାପାନର ନିଶିନୋମିୟାସ୍ଥିତ କୋରୋଗି ସ୍ପୋର୍ଟସ୍ ପାର୍କରେ ଖେଳାଯାଇଥିବା ଏହି ମ୍ୟାଚ୍ରେ ଆଫଗାନିସ୍ତାନ ପ୍ରଥମେ ବ୍ୟାଟିଂ କରିଥିଲା। ତେବେ ନେପାଳର ଦମଦାର ବୋଲିଂ ଆଗରେ ଫେଲ୍ ମାରି ଆଫଗାନିସ୍ତାନ ଦଳ ନିର୍ଦ୍ଧାରିତ ୨୦ ଓଭରରେ ମାତ୍ର ୧୦୨ ରନ୍ କରିବାକୁ ସକ୍ଷମ ହୋଇଥିଲା। ୧୦୩ ରନ୍ର ଛୋଟ ଲକ୍ଷ୍ୟକୁ ପିଛା କରି ନେପାଳ ୧୮ତମ ଓଭରରେ ୫ ୱିକେଟ୍ ହରାଇ ବିଜୟ ହାସଲ କରିନେଇଥିଲା। ଦଳ ପକ୍ଷରୁ ସୁନ୍ଦୀପ ଜୋରା ୩୪ ରନ୍, ରୋହିତ ପୌଡେଲ ୩୩ ରନ୍ ଏବଂ ଦୀପେନ୍ଦ୍ର ସିଂହ ଏରି ୧୫ ରନ୍ର ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ଦେଇଥିଲେ। ବୋଲରଙ୍କୁ ସୁହାଉଥିବା ଏହି ପିଚ୍ରେ ନେପାଳ ବ୍ୟାଟ୍ସମ୍ୟାନ୍ମାନେ ସଂଯମତା ଓ ଧୈର୍ଯ୍ୟର ସହ ଖେଳି ଦଳକୁ ଜିତାଇଥିଲେ। ଏହି ମ୍ୟାଚ୍ରେ ଦୀପେନ୍ଦ୍ର ସିଂହ ଏରି ନେପାଳର ନେତୃତ୍ୱ ନେଉଥିବା ବେଳେ ଦାର୍ବିଶ ରସୁଲି ଆଫଗାନିସ୍ତାନର ଅଧିନାୟକ ଥିଲେ। ପ୍ରଥମେ ବ୍ୟାଟିଂ କରିଥିବା ଆଫଗାନିସ୍ତାନର ଆରମ୍ଭ ଅତ୍ୟନ୍ତ ଖରାପ ରହିଥିଲା। ଓପନର ମହମ୍ମଦ ଆକ୍ରମ (୨), ହାସନ ଇସାଖିଲ (୦) ଏବଂ କରିମ ଜାନତ (୩) ମାତ୍ର ୯ ରନ୍ ସ୍କୋରରେ ପ୍ୟାଭିଲିୟନ ଫେରିଥିଲେ। ଫଳରେ ଦଳ ପଞ୍ଚମ ଓଭର ସୁଦ୍ଧା ମାତ୍ର ୧୬ ରନ୍ରେ ୩ଟି ଗୁରୁତ୍ୱପୂର୍ଣ୍ଣ ୱିକେଟ୍ ହରାଇ ସଙ୍କଟରେ ପଡ଼ିଥିଲା।ଏହାପରେ ଫୈସଲ ସିନୋଜାଦା ଓ ନଜିବୁଲ୍ଲା ଜାଦ୍ରନ ଟି-୨୦ ମ୍ୟାଚ୍ରେ ଟେଷ୍ଟ ଶୈଳୀରେ ଅତି ଧୀର ଗତିରେ ବ୍ୟାଟିଂ କରିଥିଲେ। ଫୈସଲ ୩୩ ବଲ୍ରୁ ୩୦ ରନ୍ ଏବଂ ଜାଦ୍ରନ ୪୦ ବଲ୍ରୁ ୩୦ ରନ୍ କରିଥିବା ବେଳେ ମହମ୍ମଦ ଇସାକ ୧୦ ବଲ୍ରୁ ୭ ରନ୍ କରି ଆଉଟ୍ ହୋଇଥିଲେ।




