
ଓଡ଼ିଶାରେ ଶିଳ୍ପାୟନକୁ ଆହୁରି ତ୍ୱରାନ୍ୱିତ କରିବା ଦିଗରେ ରାଜ୍ୟ ସରକାରଙ୍କ ବଡ଼ ପଦକ୍ଷେପ।ମାଇନ୍ସ ଇକୋନୋମି ସହିତ ମାଇଣ୍ଡ ଇକୋନୋମିକୁ ଗୁରୁତ୍ୱ ଦେଇ ନୂଆ ପିଢ଼ିର ଶିଳ୍ପାୟନ ପାଇଁ ଡାଟା ସେଣ୍ଟର, ଏଆଇ, ଆଇଟି ଓ ଉଚ୍ଚ ପ୍ରଯୁକ୍ତି କ୍ଷେତ୍ରକୁ ଗୁରୁତ୍ୱ ଦିଆଯାଉଛି।ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ୪୬ତମ ଉଚ୍ଚସ୍ତରୀୟ ମଞ୍ଜୁରୀ କର୍ତ୍ତୃପକ୍ଷ ବୈଠକରେ ୨୭ଟି ବୃହତ୍ ପ୍ରକଳ୍ପକୁ ସିଙ୍ଗଲ୍ ୱିଣ୍ଡୋ କ୍ଲିୟରାନ୍ସ ଅନୁମୋଦନ ମିଳିଛି।
ପ୍ରାୟ ୨.୪୭ ଲକ୍ଷ କୋଟି ଟଙ୍କାର ନିବେଶ ସହ ଏହି ପ୍ରକଳ୍ପଗୁଡ଼ିକ ରାଜ୍ୟର ୧୫ଟି ଜିଲ୍ଲାରେ ସ୍ଥାପିତ ହେବାକୁ ଥିବା ବେଳେ ପ୍ରାୟ ୫୦ ହଜାରରୁ ଅଧିକ ନୂତନ ନିଯୁକ୍ତି ଓ ରୋଜଗାର ସୁଯୋଗ ସୃଷ୍ଟି ହେବାର ଆଶା ରହିଛି।ବିଶେଷ ଗୁରୁତ୍ୱ ମିଳିଛି ଆଇଟି, ଆଇଟିଇଏସ୍ ଓ ଡାଟା ସେଣ୍ଟର କ୍ଷେତ୍ରକୁ। ଏହି କ୍ଷେତ୍ରରେ ପ୍ରାୟ ୧.୪୩ ଲକ୍ଷ କୋଟି ଟଙ୍କାର ନିବେଶ ଅନୁମୋଦିତ ହୋଇଥିବା କୁହାଯାଇଛି।ଖୋର୍ଦ୍ଧାର ପ୍ରସ୍ତାବିତ ଇଣ୍ଟିଗ୍ରେଟେଡ୍ ଡାଟା ସେଣ୍ଟର ପାର୍କ ସହ କଟକ ଓ ପୁରୀରେ ଡାଟା ସେଣ୍ଟର ପ୍ରକଳ୍ପ ଓଡ଼ିଶାର ଡିଜିଟାଲ୍ ଭିତ୍ତିଭୂମିକୁ ନୂଆ ଦିଗ ଦେଇପାରେ।ଏହା ଫଳରେ ଆଗାମୀ ଦିନରେ ଏଆଇ, କ୍ଲାଉଡ୍ କମ୍ପ୍ୟୁଟିଂ, ଡିଜିଟାଲ୍ ସେବା ଓ ଅନ୍ୟାନ୍ୟ ଉଚ୍ଚ ପ୍ରଯୁକ୍ତି କ୍ଷେତ୍ରରେ ନୂଆ ସୁଯୋଗ ସୃଷ୍ଟିର ସମ୍ଭାବନା ରହିଛି।
ଶକ୍ତି, ଇସ୍ପାତ, ସେମିକଣ୍ଡକ୍ଟର, ସବୁଜ ଶକ୍ତି, ଜାହାଜ ନିର୍ମାଣ ଓ ଅନ୍ୟାନ୍ୟ ଆଧୁନିକ ଶିଳ୍ପ କ୍ଷେତ୍ରରେ ମଧ୍ୟ ବଡ଼ ନିବେଶକୁ ଅନୁମୋଦନ ମିଳିଛି।ଦେବଗଡ଼ ଓ ଅନୁଗୋଳରେ ତାପଜ ବିଦ୍ୟୁତ୍ ପ୍ରକଳ୍ପକୁ ଅନୁମୋଦନ ରାଜ୍ୟର ଶକ୍ତି ଭିତ୍ତିଭୂମି ପାଇଁ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ବୋଲି କୁହାଯାଉଛି।ବୃହତ୍ ଶିଳ୍ପ ସହିତ ଏମ୍ଏସ୍ଏମ୍ଇ, ଷ୍ଟାର୍ଟଅପ୍, ସ୍ଥାନୀୟ ବ୍ୟବସାୟ ଓ ଯୁବ ଉଦ୍ୟୋଗୀମାନଙ୍କ ପାଇଁ ମଧ୍ୟ ଏହି ନିବେଶ ନୂଆ ସୁଯୋଗ ଆଣିପାରେ।ସପ୍ଲାଏ ଚେନ୍, ଦକ୍ଷତା ବିକାଶ, ସେବା କ୍ଷେତ୍ର ଓ ସ୍ଥାନୀୟ ଅର୍ଥନୀତିର ବିକାଶକୁ ଏହା ଗତି ଦେଇପାରିବ ବୋଲି ଆଶା ପ୍ରକାଶ କରାଯାଇଛି।




