ଓଡ଼ିଶା ନୂଆ ଡିଜିପି କିଏ ? ସୁପ୍ରିମ୍କୋର୍ଟରେ ଶୁଣାଣି

ଓଡ଼ିଶାର ଡିଜିପି କି ହେବ | ଏ ନେଇ ଆଜି ଶୁଣାଣି କରିବ ସୁପ୍ରିମ୍କୋର୍ଟ ।ପୂର୍ବରୁ ଚାରି ଚାରି ଥର ଶୁଣାଣି ବେଳେ କୌଣସି ନା କୌଣସି କାରଣ ପାଇଁ ପରବର୍ତ୍ତୀ ତାରିଖକୁ ଘୁଞ୍ଚିଥିଲା। ତେବେ ଆଜି ଶୁଣାଣି ହେବ ନା ଆହୁରି ଲମ୍ବା ଆଇନଗତ ଲଢ଼େଇ ହେବ, ତାହା ଉପରେ ସମସ୍ତଙ୍କ ନଜର ରହିଛି।
ଗତ ୭ ତାରିଖ ଦିନ ଶୁଣାଣି ବେଳେ ନୂଆ ମୋଡ଼ ପଦାକୁ ଆସିଥିଲା। ପ୍ରଥମ ଥର ପାଇଁ ବରିଷ୍ଠ ଆଇପିଏସ୍ ସୁଶାନ୍ତ ନାଥଙ୍କ ଆଇନଜୀବୀ ସୁପ୍ରିମ୍କୋର୍ଟରେ ହାଜର ହୋଇ ପକ୍ଷ ରଖିଥିଲେ। ଯାହାକି ମାମଲାକୁ ଆହୁରି ଜଟିଳ କରିଥିଲା । ସୁଶାନ୍ତ ନାଥଙ୍କ ଆଇନଜୀବୀ କହିଥିଲେ ଯେ, ପୂର୍ବରୁ ଡିଜିପି ପଦ ପାଇଁ ପ୍ରସ୍ତାବିତ ପ୍ରାର୍ଥୀଙ୍କ ତାଲିକାରେ ସୁଶାନ୍ତଙ୍କ ନାମ ଥିଲା ।
ହେଲେ କେଉଁ ପରିସ୍ଥିତିରେ ତାଙ୍କ ନାମକୁ ରାଜ୍ୟ ସରକାର କାଟିଦେଲେ? ଏହାପଛରେ ଯଥାର୍ଥତା କ’ଣ ରହିଛି? ଯେଉଁଭଳି ଭାବେ ତାଙ୍କ ନାମକୁ କଟାଯାଇଛି ତାହା ସମ୍ପୂର୍ଣ୍ଣ ବେଆଇନ ବୋଲି ସେ ଯୁକ୍ତି ବାଢ଼ିଥିଲେ। ଦାବି ସମ୍ପର୍କରେ ମତ ଓ ତଥ୍ୟ ପ୍ରଦାନ ପାଇଁ ସୁଯୋଗ ଦେବାକୁ ଖଣ୍ଡପୀଠଙ୍କ ନିକଟରେ ଅନୁରୋଧ କରିବା ପରେ ପରବର୍ତ୍ତୀ ଶୁଣାଣି ୧୭କୁ ଘୁଞ୍ଚିଥିଲା । ହେଲେ ଅନେକ ଗୁରୁତ୍ବପୂର୍ଣ୍ଣ ମାମଲା ଥିବାରୁ ୧୭ରେ ଶୁଣାଣି ହୋଇପାରି ନଥିଲା। ପରେ ଏହି ଶୁଣାଣି ସେପ୍ଟେମ୍ବର ୨୨କୁ ଘୁଞ୍ଚିଥିଲା ।



