
କରୋନା ପରେ ଓଡ଼ିଶାରେ ଖେଳୁଛି ନୂଆ ଆତଙ୍କ | ଚିନ୍ତା ବଢ଼ାଇଛି ସ୍କ୍ରବ୍ ଟାଇଫସ୍ | ବର୍ଷା ଋତୁରେ ସୁନ୍ଦରଗଡ଼ରେ ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ଜଣକ ପରେ ଜଣେ ପଜିଟିଭ୍ ଚିହ୍ନଟ ହେଉଛନ୍ତି । ଏବେ ସୁଦ୍ଧା ୫ ହଜାର ୬ ଶହ ୬ ଜଣଙ୍କ ରକ୍ତ ନମୁନା ପରୀକ୍ଷା କରାଯାଇଥିବାବେଳେ ସେଥିମଧ୍ୟରୁ ୮୭୧ ଜଣଙ୍କ ରିପୋର୍ଟ ପଜିଟିଭ୍ ଆସିଥିବା ସୂଚନା ମିଳିଛି । ସୁନ୍ଦରଗଡ ମୁଖ୍ୟ ଚିକିତ୍ସାଳୟରେ ତିନିଜଣ ରୋଗୀ ଚିକିତ୍ସାଧୀନ ଅଛନ୍ତି । ଯଦିଓ ଏହି ରୋଗରେ ଜିଲ୍ଲାରେ କାହାରି ମୃତ୍ୟୁ ହୋଇନାହିଁ, କିନ୍ତୁ ପ୍ରତ୍ୟେକ ଦିନ ରୋଗୀ ସଂଖ୍ୟା ବଢୁଥିବାରୁ ଚିନ୍ତା ବଢ଼ିଛି ।
ପରିସ୍ଥିତି ଉପରେ ନଜର ରଖିବା ସହ ଲୋକଙ୍କୁ ସଚେତନ କରାଯାଉଥିବା ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ କହିଛନ୍ତି । ଗାଁ ଗାଁରେ ଅଙ୍ଗନବାଡ଼ି କର୍ମୀ, ଆଶାକର୍ମୀ ଓ ମେଡିକାଲ ଟିମ୍ ଲୋକଙ୍କୁ ସଚେତନ କରିବା ସହ ଜଙ୍ଗଲ ଓ ବିଲକୁ ଗଲେ ପୂରା ପୋଷାକ ପିନ୍ଧି ସତର୍କ ରହିବା ଏବଂ ଜ୍ବର ହେଲେ ତୁରନ୍ତ ଡାକ୍ତରଖାନା ଆସିବା ପାଇଁ ପରାମର୍ଶ ଦେଉଛନ୍ତି । ଏଥିପାଇଁ ଲୋକଙ୍କୁ ଭୟଭୀତ ନହେବା ପାଇଁ ପରାମର୍ଶ ଦେଇଛି ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ।




