ଓଡ଼ିଶା

ଡିସିପି ଜଗମୋହନ ମୀନାଙ୍କ ଇସ୍ତଫା ଗୃହୀତ

ଭୁବନେଶ୍ୱର ଡିସିପି ଜଗମୋହନ ମୀନାଙ୍କ ଇସ୍ତଫା ଗୃହୀତ । ତାଙ୍କ ଇସ୍ତଫାକୁ ମଞ୍ଜୁର ହୋଇଥିବା ନେଇ କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ବିଜ୍ଞପ୍ତି ଜାରି ହୋଇଛି । ଏହା ସହିତ ପ୍ରାୟ ୧୩ ବର୍ଷର ଆଇପିଏସ କ୍ୟାରିୟରରୁ ମୀନାଙ୍କ ବିଦାୟ ପ୍ରକ୍ରିୟା ଶେଷ ପାହାଚରେ ପହଂଚିଛି । ଜୁଲାଇରେ ସେ ବ୍ୟକ୍ତିଗତ କାରଣ ଦର୍ଶାଇ ଇସ୍ତଫା ଦେଇଥିଲେ । ଆଉ ରାଜ୍ୟ ସରକାର ତାଙ୍କ ଇସ୍ତଫାକୁ ଗ୍ରହଣ କରିବା ପରେ ଆବଶ୍ୟକ ଏନଓସି ସହ ମାମଲାକୁ କେନ୍ଦ୍ର ଗୃହ ମନ୍ତ୍ରାଳୟକୁ ପଠାଇଥିଲେ ।

୨୦୨୫ ମାର୍ଚ୍ଚରେ ଭୁବନେଶ୍ୱର ଡିସିପି ଭାବେ ଦାୟିତ୍ୱ ନେଇଥିଲେ ମୀନା। ଏହା ପୂର୍ବରୁ ମାଲକାନଗିରି, ଅନୁଗୁଳ ଓ ଗଞ୍ଜାମର ଏସ୍‌ପି ଏବଂ କଟକର ଡିସିପି ଭାବେ ମଧ୍ୟ ଦାୟିତ୍ୱ ତୁଲାଇଥିଲେ।ଶିକ୍ଷାଗତ ଯୋଗ୍ୟତା ଦୃଷ୍ଟିରୁ ମଧ୍ୟ ତାଙ୍କ ଏକ ଭିନ୍ନ ପରିଚୟ ରହିଛି। ଆଇଆଇଟି କାନପୁରରୁ ଏରୋସ୍ପେସ୍ ଇଞ୍ଜିନିୟରିଂରେ ବି.ଟେକ୍ ଓ ଏମ୍.ଟେକ୍ କରିଥିବା ମୀନା UPSC ସିଭିଲ୍ ସର୍ଭିସ୍ ପରୀକ୍ଷାରେ ୮୪୯ ରାଙ୍କ୍ ହାସଲ କରିଥିଲେ।ତେବେ ତାଙ୍କ ଇସ୍ତଫାକୁ ନେଇ ବିଭିନ୍ନ ଚର୍ଚ୍ଚା ମଧ୍ୟରେ ମୀନା ନିଜେ ସ୍ପଷ୍ଟ କରିଥିଲେ ଯେ, ଇସ୍ତଫା ପଛରେ କୌଣସି ବାହ୍ୟ କିମ୍ବା ରାଜନୈତିକ ଚାପ ନାହିଁ।

ପରିବାର ଓ ବନ୍ଧୁମାନଙ୍କ ସହ ଆଲୋଚନା ପରେ ସେ ଏହି ନିଷ୍ପତ୍ତି ନେଇଥିବା କହିଥିଲେ। ସେହି ସହ ନିଜ ଗୋପନୀୟତାକୁ ସମ୍ମାନ କରିବାକୁ ମଧ୍ୟ ଅନୁରୋଧ କରିଥିଲେ।ଭୁବନେଶ୍ୱର ଡିସିପି ଭାବେ ତାଙ୍କ କାର୍ଯ୍ୟକାଳ ସମୟରେ ଆଇନଶୃଙ୍ଖଳା ସମ୍ପର୍କିତ କିଛି ଘଟଣାକୁ ନେଇ କମିଶନରେଟ୍ ପୁଲିସକୁ ସମାଲୋଚନାର ସାମ୍ନା କରିବାକୁ ପଡ଼ିଥିଲା।ତେବେ ଇସ୍ତଫାର କାରଣ ସମ୍ପର୍କରେ ମୀନାଙ୍କ ନିଜସ୍ୱ ବକ୍ତବ୍ୟ ଅନୁସାରେ, ଏହା ଏକ ବ୍ୟକ୍ତିଗତ ନିଷ୍ପତ୍ତି।ଏବେ ଆଇପିଏସ୍ କ୍ୟାରିୟରକୁ ବିଦାୟ ଦେବା ପରେ ଜଗମୋହନ ମୀନାଙ୍କ ଆଗାମୀ ପଦକ୍ଷେପ କଣ ହେବ, ତାହା ଉପରେ ନଜର ରହିଛି।

 

Related Articles

Back to top button