Uncategorized

ମହିଳା ଜୁନିୟର ଏସିଆ କପ୍: ପାକିସ୍ତାନକୁ ହରାଇ ସେମିଫାଇନାଲରେ ଭାରତ

ନୂଆଦିଲ୍ଲୀ: ଚୀନର ମୋକିଠାରେ ଆୟୋଜିତ ମହିଳା ଜୁନିୟର ଏସିଆ କପ୍‌ ୨୦୨୬ରେ ଭାରତୀୟ ଦଳର ବିଜୟ ଅଭିଯାନ ଜାରି ରହିଛି। ଆଜି ଖେଳାଯାଇଥିବା ପ୍ରଥମ କ୍ୱାର୍ଟର ଫାଇନାଲ୍ ମୁକାବିଲାରେ ଭାରତୀୟ ଟିମ୍‌ ଏକତରଫା ଭାବେ ଚିରପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନକୁ ୧୯-୦ ଗୋଲର ବୃହତ ବ୍ୟବଧାନରେ ପରାସ୍ତ କରି ସେମିଫାଇନାଲରେ ପ୍ରବେଶ କରିଛି। ଚଳିତ ଟୁର୍ଣ୍ଣାମେଣ୍ଟରେ ଏହା ଯେକୌଣସି ଦଳର ସବୁଠାରୁ ବଡ଼ ବିଜୟ। ଏହାପୂର୍ବରୁ ଗ୍ରୁପ୍ ପର୍ଯ୍ୟାୟରେ ଜାପାନ, ମାଲେସିଆ ଓ ଦକ୍ଷିଣ କୋରିଆକୁ ହରାଇ ଗ୍ରୁପ୍‌ ଶୀର୍ଷରେ ରହିଥିବା ଡିଫେଣ୍ଡିଂ ଚାମ୍ପିୟନ୍ ଭାରତ, ଏବେ ସେମିଫାଇନାଲରେ ଦକ୍ଷିଣ କୋରିଆ ଓ ମାଲେସିଆ ମଧ୍ୟରେ ହେବାକୁ ଥିବା ମ୍ୟାଚର ବିଜେତାଙ୍କୁ ଭେଟିବ। ଏହି ମ୍ୟାଚରେ ଭାରତୀୟ ଖେଳାଳିଙ୍କ ପୂର୍ଣ୍ଣ ଦବଦବା ଦେଖିବାକୁ ମିଳିଥିଲା। ମ୍ୟାଚର ୭ମ ମିନିଟରେ ପୂଜା ସାହୁ ପେନାଲ୍ଟି କର୍ଣ୍ଣର ଜରିଆରେ ପ୍ରଥମ ଗୋଲ କରି ଭାରତର ଖାତା ଖୋଲିଥିଲେ। ପ୍ରଥମ କ୍ୱାର୍ଟରରେ ୫ଟି ଏବଂ ଦ୍ୱିତୀୟ କ୍ୱାର୍ଟରରେ ୫ଟି ଗୋଲ ଦେଇ ଭାରତ ହାଫ୍-ଟାଇମ୍ ସୁଦ୍ଧା ୧୦-୦ରେ ଆଗୁଆ ରହିଥିଲା। ପରବର୍ତ୍ତୀ ସମୟରେ ତୃତୀୟ କ୍ୱାର୍ଟରରେ ୩ଟି ଏବଂ ଶେଷ କ୍ୱାର୍ଟରରେ ଆକ୍ରମଣାତ୍ମକ ଖେଳ ପ୍ରଦର୍ଶନ କରି ସର୍ବାଧିକ ୬ଟି ଗୋଲ ହାସଲ କରିଥିଲା ଦଳ।

Related Articles

Back to top button