
ମୋବାଇଲ ନ୍ୟୁଜ୍ 24×7 ବ୍ୟୁରୋ; ଓଡ଼ିଶା ରାଜ୍ୟ ମୁକ୍ତ ବିଶ୍ୱବିଦ୍ୟାଳୟ, ସମ୍ବଲପୁର ପରିସରରେ ସାଂସଦ ତଥା ପୂର୍ବତନ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ‘ଆବାସିକ ପ୍ରଶିକ୍ଷଣ ଓ ଶିଳ୍ପ ପାଇଁ ଦକ୍ଷତା କେନ୍ଦ୍ର’ (ରିଷି) ର ଶୁଭ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି । ବିଶ୍ବବିଦ୍ୟାଳୟର କୁଳପତି ପ୍ରଫେସର ଶ୍ୟାମସୁନ୍ଦର ପଟ୍ଟନାୟକଙ୍କ ନେତୃତ୍ୱରେ ଶନିବାର ଆୟୋଜିତ ଏହି କାର୍ଯ୍ୟକ୍ରମରେ ପୂର୍ବତନ କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା । ଶ୍ରୀଯୁକ୍ତ ପ୍ରଧାନ ବିଶ୍ବବିଦ୍ୟାଳୟର ଅଧ୍ୟାପକ ଅଧ୍ୟାପିକା, ନିମନ୍ତ୍ରିତ ସମ୍ମାନିତ ଅତିଥି ଓ ମାନ୍ୟଗଣ୍ୟ ବ୍ୟକ୍ତି, ପାଞ୍ଚୋଟି ପୋଷ୍ୟଗ୍ରାମ ବଡ଼ସିଂହାରୀ, ସାନସିଂହାରୀ, ଚାଉଁରପୁର, କର୍ଡୋଲା, ସାହାଜବାହାଲ ଗ୍ରାମର ଅଧିବାସୀ ଓ ବିଶ୍ୱବିଦ୍ୟାଳୟର ଶିକ୍ଷାର୍ଥୀମାନଙ୍କ ଗହଣରେ ‘ରିଷି ଭବନ’ର ଶିଳାନ୍ୟାସ କରିଥିଲେ।
ଭିତ୍ତି ପ୍ରସ୍ତର ସ୍ଥାପିତ ହେବା ପରେ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ପଟ୍ଟନାୟକଙ୍କ ସଭାପତିତ୍ବରେ ଏକ ସଭାର ଆୟୋଜନ କରା ଯାଇଥିଲା। ଏହି ଅବସରରେ ମୁଖ୍ୟଅତିଥି ‘ Certificate programme of self Healthcare and Wellness’ ଓ ‘AI tools for collaborative learning for training of teachers’ ଦୁଇଟି ପାଠ୍ୟକ୍ରମର ଉଦ୍ଘାଟନ କରିଥିଲେ। ଶ୍ରୀଯୁକ୍ତ ପ୍ରଧାନ ବୈଷୟିକ କୌଶଳ ଓ ଦକ୍ଷତା ବିକାଶ ମାଧ୍ୟମରେ ଶିକ୍ଷାର ପ୍ରକୃତ ଅଗ୍ରଗତି ସାଧିତ ହୋଇପାରିବ ବୋଲି ତାଙ୍କ ବକ୍ତବ୍ୟରେ ଉପସ୍ଥାପନ କରିଥିଲେ। ସଭାମଞ୍ଚରେ ସମ୍ବଲପୁର ଜିଲ୍ଲାପାଳ, ପୋଲିସ୍ ଡି. ଆଇ. ଜି, ପୋଲିସ୍ ସୁପରିଟେନ୍ଣ୍ଡେଣ୍ଟ ତଥା ଏସ୍ . ଏମ୍. ସି କମିଶନର ମଞ୍ଚାସିନ ଥିଲେ। ଏହା ବ୍ୟତୀତ ସମ୍ବଲପୁର ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ବିଧୁ ଭୂଷଣ ମିଶ୍ର, ଭିସୁଟ୍ କୁଳପତି ପ୍ରଫେସର ଦୀପକ ସାହୁ ଓ ଆହୁରି ଗଣ୍ୟମାନ୍ୟ ବ୍ୟକ୍ତିମାନେ ଉପସ୍ଥିତ ଥିଲେ। ଓଡ଼ିଆ ବିଭାଗର ସହକାରୀ ପ୍ରଫେସର ସୁଶ୍ରୀ ବେବୀ ନାଏକ ସଭାକାର୍ଯ୍ୟକୁ ସଞ୍ଚାଳନ କରିଥିଲେ । ଶେଷରେ ବିଶ୍ୱବିଦ୍ୟାଳୟର କୁଳସଚିବ ଡ. ଚିତ୍ତରଞ୍ଜନ ସାହୁ ଆନୁଷ୍ଠାନିକ ଭାବେ ଧନ୍ୟବାଦ୍ ଅର୍ପଣ କରିଥିଲେ।




