୭ ୱିକେଟରେ ଜିତିଲା ମହିଳା ଏସିଆ କପ୍ ମ୍ୟାଚ୍, ହରମନପ୍ରୀତଙ୍କ ବିଶ୍ୱ ରେକର୍ଡ


ନୂଆଦିଲ୍ଲୀ: ଦୁବାଇ ଇଣ୍ଟରନ୍ୟାସନାଲ ଷ୍ଟାଡିୟମରେ ଖେଳାଯାଇଥିବା ଟି-୨୦ ମହିଳା ଏସିଆ କପ୍ ମ୍ୟାଚରେ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନକୁ ୭ ୱିକେଟରେ ସୋଚନୀୟ ଭାବେ ପରାସ୍ତ କରିଛି ଭାରତୀୟ ମହିଳା କ୍ରିକେଟ ଦଳ। ମ୍ୟାଚରେ ପାକିସ୍ତାନ ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲେ ବି ଭାରତୀୟ ବୋଲରଙ୍କ ଘାତକ ବୋଲିଂ ଆଗରେ ମାତ୍ର ୫୫ ରନରେ ଅଲଆଉଟ୍ ହୋଇଯାଇଥିଲା। ଟି-୨୦ ଆନ୍ତର୍ଜାତୀୟ କ୍ରିକେଟରେ ପାକିସ୍ତାନର ଏହା ସବୁଠାରୁ କମ୍ ସ୍କୋର। ପାକିସ୍ତାନର ୮ ଜଣ ବ୍ୟାଟର ଦୁଇ ଅଙ୍କ ବି ଛୁଇଁପାରିନଥିବା ବେଳେ ଶୱାଲ ଜୁଲଫିକାର ସର୍ବାଧିକ ୧୪ ରନ୍ କରିଥିଲେ। ଭାରତ ପକ୍ଷରୁ ଶ୍ରୀ ଚରଣୀ ଓ ପ୍ରେମା ରାୱତ ୩-୩ଟି ୱିକେଟ ଏବଂ ଦୀପ୍ତି ଶର୍ମା ୨ଟି ୱିକେଟ ନେଇ ପାକିସ୍ତାନର ବ୍ୟାଟିଂ ବିପର୍ଯ୍ୟୟ ଘଟାଇଥିଲେ। ୫୬ ରନର ସହଜ ବିଜୟ ଲକ୍ଷ୍ୟକୁ ପିଛା କରି ଭାରତ ମାତ୍ର ୮.୪ ଓଭରରେ ୩ ୱିକେଟ ହରାଇ ମ୍ୟାଚ୍ ଜିତିନେଇଥିଲା। ଅଧିନାୟିକା ହରମନପ୍ରୀତ କୌର ଏକ ଦମଦାର ଛକା ମାରି ଦଳକୁ ବିଜୟୀ କରାଇଥିଲେ। ଏହି ମ୍ୟାଚ୍ ସହ ହରମନପ୍ରୀତ ଅଧିନାୟିକା ଭାବେ ୧୫୦ତମ ଟି-୨୦ ମ୍ୟାଚ୍ ଖେଳି ବିଶ୍ୱର ପ୍ରଥମ ମହିଳା କ୍ରିକେଟର ହେବାର ଅନନ୍ୟ ଐତିହାସିକ ରେକର୍ଡ ନିଜ ନାମରେ କରିଛନ୍ତି।



