Uncategorized

ବିଭିନ୍ନ ରାସ୍ତା ପ୍ରକଳ୍ପର ସମୀକ୍ଷା କଲେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ

ଭୁବନେଶ୍ବର: ରାଜ୍ୟରେ ରାସ୍ତା, ସେତୁ ଓ କୋଠାବାଡ଼ି କ୍ଷେତ୍ରରେ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପକୁ ଅନୁମୋଦନ ମିଳିଥିବା ବେଳେ ଆଗାମୀ ଦିନରେ ଆହୁରି ଅଧିକ ପ୍ରକଳ୍ପ କାର୍ଯ୍ୟକାରୀ ହେବାକୁ ଯାଉଛି। ଏହିସବୁ ପ୍ରକଳ୍ପ ଓଡ଼ିଶାର ଅର୍ଥନୈତିକ ବିକାଶରେ ଏକ ମାଇଲଖୁଣ୍ଟ ସାବ୍ୟସ୍ତ ହେବ। ଏହାକୁ ଦୃଷ୍ଟିରେ ରଖି ବିଭିନ୍ନ ଭିତ୍ତିଭୂମି ପ୍ରକଳ୍ପର ଅଗ୍ରଗତି ନେଇ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ଅଧ୍ୟକ୍ଷତାରେ ଏକ ଗୁରୁତ୍ୱପୂର୍ଣ୍ଣ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଲୋକସେବା ଭବନସ୍ଥିତ ସମ୍ମିଳନୀ କକ୍ଷରେ ଆୟୋଜିତ ଏହି ବୈଠକରେ ରଘୁନାଥପୁର-ତ୍ରିଶୁଳିଆ ଏଲିଭେଟେଡ୍‌ କରିଡର, ଷ୍ଟୁଡିଓ ଛକ-ନୂଆଗାଁ ଏଲିଭେଟେଡ୍‌ ରାସ୍ତା, ପିପିଲି-କୋଣାର୍କ ରାସ୍ତା ନିର୍ମାଣ ଏବଂ ଦୟା ୱେଷ୍ଟର ପ୍ରଥମ ଓ ତୃତୀୟ ପର୍ଯ୍ୟାୟ କାର୍ଯ୍ୟ ନେଇ ବିସ୍ତୃତ ଆଲୋଚନା ହୋଇଥିଲା। ଏହାସହିତ ଭୁବନେଶ୍ୱର ଇନର୍‌ ରିଂ ରୋଡ୍‌, ଆଉଟର ରିଂ ରୋଡ୍‌ର ନୂଆ ଆଲାଇନ୍‌ମେଣ୍ଟ, କଳ୍ପନା ଛକ ଫ୍ଲାଏଓଭର ଏବଂ ପୁରୀକୁ ଯାତାୟାତ ସୁବିଧା ପାଇଁ ନୂଆ ଏଲିଭେଟେଡ୍‌ ରାସ୍ତା ନିର୍ମାଣ ପ୍ରକ୍ରିୟାର ସ୍ଥିତି ସମ୍ପର୍କରେ ମନ୍ତ୍ରୀ ସମୀକ୍ଷା କରିଥିଲେ। ପୂର୍ତ୍ତ ବିଭାଗ ପ୍ରମୁଖ ଶାସନ ସଚିବ ସଂଜୟ କୁମାର ସିଂହ ପ୍ରକଳ୍ପଗୁଡ଼ିକର ସମସ୍ୟା ଦୂରୀକରଣ, ଜମି ଅଧିଗ୍ରହଣ ପ୍ରକ୍ରିୟା ତ୍ୱରାନ୍ୱିତ କରିବା ଏବଂ ଡିପିଆର୍‌ (DPR) ପ୍ରସ୍ତୁତି ନେଇ ବିଭାଗୀୟ ଅଧିକାରୀ ଓ ମୁଖ୍ୟଯନ୍ତ୍ରୀମାନଙ୍କୁ ଆବଶ୍ୟକ ନିର୍ଦ୍ଦେଶ ଦେଇଥିଲେ। ଏହି ବୈଠକରେ ଇଆଇସି ତଥା ସ୍ୱତନ୍ତ୍ର ଶାସନ ସଚିବ ଇଂ ସମୀର ହୋତା, ଇଆଇସି (ସିଭିଲ୍‌) ଇଂ ସତ୍ୟବ୍ରତ ବେହେରା, ଅତିରିକ୍ତ ଶାସନ ସଚିବ ପ୍ରଦୀପ କୁମାର ସାହୁ, ମୁଖ୍ୟ ନିର୍ମାଣ ଯନ୍ତ୍ରୀ ଇଂ ମନୋଜ ମହାନନ୍ଦ, ମୁଖ୍ୟଯନ୍ତ୍ରୀ ଇଂ ଶିବବ୍ରତ ତରିଆ ଏବଂ ଓବିସିସି (OBCC) ମୁଖ୍ୟ ପରିଚାଳକ ଶ୍ରୀଧର ରାଉତଙ୍କ ସମେତ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

Related Articles

Back to top button