
ଭୁବନେଶ୍ୱର ,ବୈତରଣୀ ଆଖୁଆପଦାରେ ବିପଦ ସଙ୍କେତ ନିକଟରେ, ଜଳସ୍ତର ରହିଛି। ଗତକାଲି ବୈତରଣୀରେ ବନ୍ୟାସ୍ଥିତି ଥିବା ବେଳେ, ଆଜି ଜଳସ୍ତର କମୁଛି ସତ ହେଲେ ତଳିଆ ଅଞ୍ଚଳରୁ, ବନ୍ୟାଜଳ ଛାଡ଼ିନାହିଁ। ଆଖୁଆପଦାରେ ବିପଦ ସଙ୍କେତ ୧୮.୨୩ ମିଟର ଥିବା ବେଳେ, ସନ୍ଧ୍ୟା ୬ଟା ସୁଦ୍ଧା ୧୭.୮୫ମିଟର ଥିଲା। ଏଠାରେ ଗତକାଲି ରାତି ୯ଟାରେ ଶୀର୍ଷ ବନ୍ୟାଜଳ ୧୮.୪୬ ମିଟର ଛୁଇଁଥିଲା। ତେଣୁ ଯାଜପୁର ଏବଂ ଭଦ୍ରକ ଜିଲାର କେତେକ ଅଞ୍ଚଳରେ, ବନ୍ୟାପାଣି ପ୍ରବେଶ କରିଥିବା ଜଣାପଡ଼ିଛି। ବୈତରଣୀ, ବ୍ରାହ୍ମଣୀରେ ବାରମ୍ବାର ବନ୍ୟା ଆସିବା ଯୋଗୁଁ ଘାଇ ମରାମତି ହୋଇପାରୁନି। ତେଣୁ କିଛି ଅଞ୍ଚଳରେ ପାଣି ପଶୁଛି ବୋଲି ସର୍ବୋଚ୍ଚ ଯନ୍ତ୍ରୀ କହିଛନ୍ତି। ଦୁଇରୁ ତିନି ଦିନ ଭିତରେ ବର୍ଷା ନାହିଁ। ଏହି ସମୟ ଭିତରେ ଘାଇ, ମରାମତି ହେବ। ସୁବର୍ଣ୍ଣରେଖା ଓ ବୈତରଣୀ ବିପଦ ସଙ୍କେତ, ଟପିବା ପରେ ବାଲେଶ୍ୱର, ଭଦ୍ରକ ଓ ଯାଜପୁର ଜିଲାର ତଳିଆ ଅଞ୍ଚଳ, ଉବୁଟୁବୁ ହେଉଛି।ଆସନ୍ତା ୮ତାରିଖ ବେଳକୁ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଅଞ୍ଚଳରେ, ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ସମ୍ଭାବ୍ୟ ଲଘୁଚାପ ପ୍ରଭାବରେ, ଉତ୍ତର ଓଡ଼ିଶାରେ ଭଲ ବର୍ଷା ହେବ ବୋଲି ଅନ୍ତର୍ଜାତୀୟ ପାଣିପାଗ ସଂସ୍ଥାଗୁଡ଼ିକର ପ୍ରାଥମିକ, ଆକଳନରୁ ଜଣାପଡୁଛି। ଆସନ୍ତା ୬ ତାରିଖ ବେଳକୁ ଘୂର୍ଣ୍ଣିବଳୟ ସୃଷ୍ଟି ହେବା ପରେ ସମ୍ଭାବ୍ୟ ଲଘୁଚାପ ସୃଷ୍ଟି ଓ ଏହାର ପ୍ରଭାବ ଉପରେ, ଅଧିକ ସ୍ପଷ୍ଟତା ଆସିବ ବୋଲି, ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି।



