
ମୋବାଇଲ ନ୍ୟୁଜ24×7 ବ୍ୟୁରୋ; କଳକାରଖାନା ଗୁଡିକରେ ବିଭିନ୍ନ ରାସାୟନିକ ଦୁର୍ଘଟଣା ରୋକିବା ପାଇଁ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବା ସହ ସଂପୃକ୍ତ କର୍ମଚାରୀମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବାର ଆବଶ୍ୟକତା ରହିଛି । ଏହା ଦ୍ୱାରା ଅନେକ ସମୟରେ ଧନଜୀବନ କ୍ଷତିକୁ ରୋକାଯାଇପାରିବ । ଏ ସଂପର୍କରେ ଭୁବନେଶ୍ୱର ଉପଜିଲ୍ଲାପାଳ ଡ. ମନୋରଞ୍ଜନ ସାହୁଙ୍କ ଅଧ୍ୟକ୍ଷତାରେ ସର୍କିଟ୍ ହାଉସ୍ ସମ୍ମିଳନୀ କକ୍ଷରେ ସ୍ଥାନୀୟ ଆପାତକାଳୀନ ବୈଠକ ଅନୁଷ୍ଠିତ ହୋଇଯାଇଛି ।କାରଖାନା ଓ ବାଷ୍ପିତ୍ର ନିର୍ଦ୍ଦେଶାଳୟ ପକ୍ଷରୁ ଆୟୋଜିତ ଏହି ବୈଠକରେ ସହକାରୀ ନିର୍ଦ୍ଦେଶକ ଶ୍ରୀମତୀ ଅନିତା ବେହେରା ରସାୟନଜନିତ ଦୁର୍ଘଟଣା ଓ ଏହାର ନିରାକରଣ ଉପରେ ବିଭିନ୍ନ ଉପାଦେୟ ତଥ୍ୟ ଉପସ୍ଥାପନ କରିଥିଲେ ।
ଭୁବନେଶ୍ୱରର ମଞ୍ଚେଶ୍ୱର, ଭଗବାନପୁର, ଆଇଗିଣିଆ ଓ ଚନ୍ଦକା ଭଳି ଶିଳ୍ପାଞ୍ଚଳରେ ଅନେକ କଳକାରଖାନା ଥିବାରୁ ଏ ସଂପର୍କରେ ସଂପୃକ୍ତ ସଂସ୍ଥାଗୁଡ଼ିକ ବ୍ୟାପକ ପଦକ୍ଷେପ ଗ୍ରହଣ କରିବାର ଆବଶ୍ୟକତା ରହିଛି । କଳକାରଖାନାଜନିତ ଦୁର୍ଘଟଣା କେବଳ ସେହି ସଂସ୍ଥାର କ୍ଷତି କରି ନଥାଏ, ବରଂ ପରିବେଶ ପ୍ରଦୂଷଣ ସହିତ ନିକଟସ୍ଥ ଜନବସତିରେ ବ୍ୟାପକ ଧନଜୀବନ ହାନି କରିଥାଏ । ଏଥି ନିମନ୍ତେ ବିଭିନ୍ନ ସଂସ୍ଥା ନିରନ୍ତର ଉତ୍ତମ ଯୋଗାଯୋଗ ବ୍ୟବସ୍ଥା ସହ ଶିଳ୍ପ ସଂସ୍ଥା ପାଇଁ ଜାରି ଉପଯୁକ୍ତ ସୁରକ୍ଷା ମାନକ ପାଳନ ଉପରେ ଗୁରୁତ୍ୱ ଦେବାକୁ ସେ ପରାମର୍ଶ ଦେଇଥିଲେ । ଏତଦ୍ବ୍ୟତୀତ ନିର୍ଦ୍ଦିଷ୍ଟ ସମୟ ବ୍ୟବଧାନରେ କର୍ମଚାରୀମାନଙ୍କ ମଧ୍ୟରେ ମକ୍ଡ୍ରିଲ ଆୟୋଜନ କରି ସମ୍ଭାବ୍ୟ ବିପଦ ପ୍ରତି ସତର୍କ ରହିବାର ପ୍ରଣାଳି ବାବଦରେ ସେମାନଙ୍କୁ ସଚେତନ ରଖିବା ଉପରେ ସେ ଗୁରୁତ୍ୱ ଦେଇଥିଲେ ।
ଏହି ଅବସରରେ ଉପଜିଲ୍ଲାପାଳ ଡ. ସାହୁ କହିଲେ ଯେ ସରକାରୀ କ୍ଷେତ୍ରରେ ସଡ଼କ ନିର୍ମାଣ, ଡ୍ରେନେଜ୍ ସଫେଇ ଭଳି କାର୍ଯ୍ୟରେ ବ୍ୟବହୃତ ରାସାୟନିକ ସାମଗ୍ରୀ ପ୍ରୟୋଗବେଳେ କର୍ମଚାରୀମାନେ ସତର୍କତା ଅବଲମ୍ବନ କରିବା ଉଚିତ । ବିଭିନ୍ନ ସମୟରେ କର୍ମଶାଳା ଆୟୋଜନ କରାଯାଇ ଏ କ୍ଷେତ୍ରରେ କାର୍ଯ୍ୟ କରୁଥିବା କର୍ମଚାରୀମାନଙ୍କୁ ସୁରକ୍ଷା ବାବଦରେ ସଚେତନ କରିବାକୁ ସେ ପରାମର୍ଶ ଦେଇଥିଲେ । କାରଖାନା ଓ ବାଷ୍ପିତ୍ର ନିର୍ଦ୍ଦେଶାଳୟ ପକ୍ଷରୁ କ୍ଷତିକାରକ ରାସାୟନିକ ଗ୍ୟାସ୍ ନିର୍ଗମନ ସମୟରେ ସୁରକ୍ଷା ବ୍ୟବସ୍ଥା ଗ୍ରହଣ ଉପରେ ଏକ ବ୍ୟବହାରିକ ମକ୍ଡ୍ରିଲ୍ର ଆୟୋଜନ କରାଯାଇଥିଲା । ବିଭାଗୀୟ ଉପନିର୍ଦ୍ଦେଶକ ଶ୍ରୀ ଅବନୀ କାନ୍ତ ନାୟକ ମଧ୍ୟ ସୁରକ୍ଷା ବ୍ୟବସ୍ଥା ଉପରେ ଆଲୋକପାତ କରିଥିଲେ । ଉପସ୍ଥିତ ବିଭିନ୍ନ ସଂସ୍ଥାର ଅଧିକାରୀମାନେ ସେମାନଙ୍କ କାରଖାନାରେ ଗ୍ରହଣ କରାଯାଇଥିବା ସୁରକ୍ଷା ବ୍ୟବସ୍ଥା ସଂପର୍କରେ ଅବଗତ କରାଇଥିଲେ ।




