Uncategorized

ଲଗାଣ ବର୍ଷାରେ ବୈତରଣୀ ଓ ବ୍ରାହ୍ମଣୀରେ ବନ୍ୟା

ଭୁବନେଶ୍ୱର: କିଛିଦିନ ହେବ ଲଗାଣ ବର୍ଷା ଯୋଗୁଁ ବୈତରଣୀ ଓ ବ୍ରାହ୍ମଣୀ ନଦୀରେ ବନ୍ୟା ସୃଷ୍ଟି ହୋଇଛି। ଏଥିଯୋଗୁଁ ଜିଲ୍ଲାର ଅନେକ ନଦୀକୂଳିଆ ଗାଁ ଏବେ ବି ପାଣି ଘେରରେ ରହିଛି।  ବୈତରଣୀ ନଦୀର ଆଖୁଆପଦା ଆନିକଟ ନିକଟରେ ବିପଦ ସଂକେତ ୧୮.୩୩ ମିଟର ଥିବା ବେଳେ ଏବେ ୧୯.୨୨ ମିଟର ଉପରେ ଜଳ ପ୍ରବାହିତ ହେଉଛି। ବ୍ରାହ୍ମଣୀ ନଦୀର ଜେନାପୁର ନିକଟରେ ବିପଦ ସଂକେତ ୬୫ ଫୁଟ ଥିବା ବେଳେ ଜଳସ୍ତର ୬୭ ଫୁଟ ଉପରେ ଚାଲିଛି। କାଣୀ, ବୈତରଣୀ ଓ ବ୍ରାହ୍ମଣୀ ନଦୀବନ୍ଧରେ ଘାଇ ସୃଷ୍ଟି ହୋଇ ବନ୍ୟାଜଳ ଗାଁ ମଧ୍ୟକୁ ପ୍ରବେଶ କରିବା ଫଳରେ ବ୍ୟାପକ ଅଞ୍ଚଳ କ୍ଷତିଗ୍ରସ୍ତ ହୋଇଛି। ଜିଲ୍ଲାର ୧୦ଟି ବ୍ଲକ୍, ୧୧୭ଟି ଗ୍ରାମପଞ୍ଚାୟତ/ପୌରାଞ୍ଚଳ ଏବଂ ୨୭୦ଟି ଗ୍ରାମ ବନ୍ୟା ଦ୍ୱାରା ପ୍ରଭାବିତ ହୋଇଛି। ପ୍ରଭାବିତ ବ୍ଲକଗୁଡ଼ିକ ଦଶରଥପୁର, ଯାଜପୁର, କୋରେଇ, ବିଞ୍ଝାରପୁର, ଧର୍ମଶାଳା, ରସୁଲପୁର, ବଡ଼ଚଣା, ବରୀ, ଦାନଗଦୀ ଓ ସୁକିନ୍ଦା। ସମୁଦାୟ ୨,୮୪,୫୭୮ ଜଣ ଲୋକ ପ୍ରଭାବିତ ହୋଇଥିବା ବେଳେ ୯୫,୪୫୭ ଜଣ ଜଳବନ୍ଦୀ ହୋଇ ରହିଛନ୍ତି। ବନ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ତୁରନ୍ତ ପଦକ୍ଷେପ ଗ୍ରହଣ କରାଯାଇଛି। ସମୁଦାୟ ୭୭,୬୮୦ ଜଣ ପ୍ରଭାବିତ ଲୋକଙ୍କୁ ସୁରକ୍ଷିତ ଭାବେ ସ୍ଥାନାନ୍ତର କରାଯାଇଛି। ସେମାନଙ୍କୁ ରହିବା ଓ ରିଲିଫ୍ ଯୋଗାଇଦେବା ପାଇଁ ୨୦୩ଟି ଆଶ୍ରୟସ୍ଥଳୀ ଖୋଲାଯାଇଛି।

Related Articles

Back to top button