
ମୋବାଇଲ ନ୍ୟୁଜ24×7 ବ୍ୟୁରୋ; ବିଜେପିରୁ ଇସ୍ତଫା ଦେଲେ ଜାତୀୟ ମୁଖ୍ୟପାତ୍ର ଶେହଜାଦ ପୁନାୱାଲା । ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନିତିନ ନବୀନଙ୍କ ପାଖକୁ ସେ ତାଙ୍କ ଇସ୍ତଫା ପତ୍ର ପଠାଇଛନ୍ତି । ଆର୍ଥିକ ଏବଂ ବ୍ୟକ୍ତିଗତ ପରିସ୍ଥିତିକୁ ଦର୍ଶାଇ ବିଜେପି ଛାଡ଼ିଥିବା ସେ ତାଙ୍କର ଇସ୍ତଫା ପତ୍ରରେ ଲେଖିଛନ୍ତି । ପୂର୍ବରୁ ସେ ଜୁଲାଇ ୩୦ରେ ତାଙ୍କର ଇସ୍ତଫା ପତ୍ର ପଠାଇଥିଲେ ମଧ୍ୟ ଦଳ ଏହାକୁ ଗ୍ରହଣ ନକରି ନିଷ୍ପତ୍ତିର ପୁନର୍ବିଚାର କରିବାକୁ ପରାମର୍ଶ ଦେଇଥିଲା । କିନ୍ତୁ ଚୂଡ଼ାନ୍ତ ନିଷ୍ପତ୍ତିରେ ଜାତୀୟ ମୁଖପାତ୍ର ଏବଂ ବିଜେପିର ସକ୍ରିୟ ପ୍ରାଥମିକ ସଦସ୍ୟତାରୁ ମୁକ୍ତ କରାଯାଉ ବୋଲି ପୁନାୱାଲା ନିବେଦନ କରିଛନ୍ତି ।
ପୁନାୱାଲା ସୋସିଆଲ ମିଡିଆ ଏକ୍ସରେ ବିଜେପି ସଭାପତିଙ୍କ ନିକଟକୁ ପଠାଇଥିବା ତାଙ୍କର ଇସ୍ତଫା ପତ୍ର ସେୟାର କରି କହିଛନ୍ତି – ଅତ୍ୟନ୍ତ ନମ୍ରତା, ସ୍ନେହ ଏବଂ କୃତଜ୍ଞତାର ସହିତ ମୁଁ ପୁଣି ଥରେ ବିଜେପି ଏବଂ ନୀତିନ ନବୀନଙ୍କ ନିକଟରେ ମୋର ଇସ୍ତଫା ପ୍ରଦାନ କରୁଛି ଏବଂ ଏହାକୁ ଗ୍ରହଣ କରିବାକୁ ଅନୁରୋଧ କରୁଛି । ସେହିପରି ବିଜେପିର ଶୀର୍ଷ ନେତୃତ୍ୱ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ନୀତିନ ନବୀନ, ଅମିତ ଶାହ, ବି.ଏଲ. ସନ୍ତୋଷ, ଜେ.ପି. ନଡ୍ଡା, ରାଜନାଥ ସିଂହ, ନୀତିନ ଗଡକରୀ ପ୍ରମୁଖ ଯେଉଁ ମାର୍ଗଦର୍ଶନ, ପ୍ରେମ, ସମ୍ମାନ ଓ ମଞ୍ଚ ଦେଇଛନ୍ତି ଏବଂ ମୋ ଉପରେ ସେମାନେ ବିଶ୍ୱାସ ରଖିଛନ୍ତି, ସେଥିପାଇଁ ମୁଁ ସର୍ବଦା କୃତଜ୍ଞ ରହିବି ବୋଲି ପୁନାୱାଲା ଦର୍ଶାଇଛନ୍ତି ।



