
ଭୁବନେଶ୍ୱର,ବୁଧବାର ରାଜ୍ୟସଭାରେ ‘ପ୍ରିଭେନ୍ସନ ଅଫ୍ ଇନସଲ୍ଟ୍ସ ଟୁ ନ୍ୟାସନାଲ୍ ଅନର୍ ବିଲ୍–୨୦୨୬’ ପାରିତ ହୋଇଛି। ଏହି ସଂଶୋଧନ ବିଲ୍ ମାଧ୍ୟମରେ, ଜାତୀୟ ସଙ୍ଗୀତ ‘ବନ୍ଦେ ମାତରମ୍’କୁ ଜାତୀୟ ସଙ୍ଗୀତ ‘ଜନ ଗଣ ମନ’ ଭଳି ସମାନ ଆଇନଗତ ସୁରକ୍ଷା ଦିଆଯିବ।ଏବେଠାରୁ ‘ବନ୍ଦେ ମାତରମ୍’କୁ ଜାଣିଶୁଣି ଅପମାନ କଲେ, ତିନି ବର୍ଷ ପର୍ଯ୍ୟନ୍ତ କାରାଦଣ୍ଡ, ଜରିମାନା କିମ୍ବା ଉଭୟ ଦଣ୍ଡର ବ୍ୟବସ୍ଥା ରହିବ।ବିଲ୍ ଉପରେ ଆଲୋଚନାର ଉତ୍ତର ରଖି ଗୃହ ରାଷ୍ଟ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟ କହିଥିଲେ, ଏହା କେବଳ ଏକ ଆଇନ ସଂଶୋଧନ ନୁହେଁ, ବରଂ ଭାରତର ଆତ୍ମା, ସାଂସ୍କୃତିକ ଐତିହ୍ୟ ଏବଂ ସ୍ୱାଧୀନତା ସଂଗ୍ରାମର ଆଦର୍ଶ ପ୍ରତି ଜାତିର, ସାମୂହିକ ପ୍ରତିବଦ୍ଧତାର ପ୍ରତୀକ। ବିଲ୍ ପାସ୍ ହେବା ପରେ ‘ବନ୍ଦେ ମାତରମ୍’ର ଅପମାନ କଲେ କଠୋର ଦଣ୍ଡବିଧାନର ବ୍ୟବସ୍ଥା ରହିବ।ବିଜେପି ସାଂସଦ ଡା. ରାଧା ମୋହନ ଦାସ ଅଗ୍ରୱାଲ କହିଥିଲେ, ସ୍ୱାଧୀନତା ସଂଗ୍ରାମରେ ‘ବନ୍ଦେ ମାତରମ୍’ ଲକ୍ଷ ଲକ୍ଷ ସ୍ୱାଧୀନତା ସଂଗ୍ରାମୀଙ୍କୁ ପ୍ରେରଣା ଦେଇଥିଲା। ସେହିପରି ୱାଇଏସଆରସିପି ସାଂସଦ ଗୋଲ୍ଲା ବାବୁରାଓ ମଧ୍ୟ ବିଲ୍କୁ ସ୍ୱାଗତ କରି କହିଥିଲେ ଯେ, ‘ବନ୍ଦେ ମାତରମ୍’ କେବଳ ଏକ ଗୀତ ନୁହେଁ, ବରଂ ଦେଶଭକ୍ତିର ଅମର ପ୍ରେରଣା।




