
ଭୁବନେଶ୍ୱର ,ଡେଙ୍ଗୁ ଏବେ ରାଜ୍ୟ ପାଇଁ ବଡ଼ ଚ୍ୟାଲେଞ୍ଜ ହୋଇଉଠିଛି । ବିଶେଷକରି ଭୁବନେଶ୍ୱର, କଟକ, ଖୋର୍ଦ୍ଧା, ପୁରୀ, ବାଲେଶ୍ୱର ଓ ରାଉରକେଲା ଭଳି ସହରାଞ୍ଚଳରେ ପ୍ରତିବର୍ଷ ଡେଙ୍ଗୁ ସଂକ୍ରମଣ ଦେଖାଯାଉଛି । ଘର ଆଖପାଖରେ ଜମି ରହୁଥିବା ପାଣିରେ ଏଡିସ୍ ମଶା ବଂଶବୃଦ୍ଧି କରୁଥିବାରୁ, ଡେଙ୍ଗୁ ଦ୍ରୁତ ବ୍ୟାପିଥାଏ । ଏନେଇ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସମସ୍ତ ଜିଲ୍ଲାରେ, ଜ୍ୱର ରୋଗୀଙ୍କ ନିୟମିତ ସ୍କ୍ରିନିଂ, ରକ୍ତ ପରୀକ୍ଷା, ଫଗିଂ, ଲାର୍ଭା ନିୟନ୍ତ୍ରଣ, ସଚେତନତା କାର୍ଯ୍ୟକ୍ରମ ଓ ଆବଶ୍ୟକ ଔଷଧ ମହଜୁଦ ରଖିବାକୁ ପଦକ୍ଷେପ ନିଆଯାଇଛି ।ଓଡ଼ିଶାରେ ଗତ କିଛି ବର୍ଷ ଧରି ମାଲେରିଆ ମାମଲାରେ ବୃଦ୍ଧି ଘଟିବା ସହିତ, ଚାଳିତ ବର୍ଷ ବର୍ତ୍ତମାନ ସୁଧା ଉଲ୍ଲେଖନୀୟ ହ୍ରାସ ଘଟିଛି । ଏକ ସମୟରେ ରାଜ୍ୟର ବିଭିନ୍ନ ଜିଲ୍ଲାରୁ, ଲକ୍ଷାଧିକ ମାଲେରିଆ ରୋଗୀ ଚିହ୍ନଟ ହେଉଥିବା ବେଳେ ସରକାରଙ୍କ “ଦମନ”, ଲଙ୍ଗ୍ ଲାଷ୍ଟିଂ ଇନସେକ୍ଟିସାଇଡାଲ୍ ନେଟ୍ ବଣ୍ଟନ, ଘରକୁ ଘର ସର୍ଭେ ଏବଂ ଶୀଘ୍ର ଚିକିତ୍ସା ବ୍ୟବସ୍ଥା ଯୋଗୁଁ ଏହି ରୋଗକୁ, ବହୁ ପରିମାଣରେ ନିୟନ୍ତ୍ରଣ କରାଯାଇଛି ।ବର୍ଷା ଋତୁ ଆସିଲେ ଜଳବାହିତ ଓ ମଶାବାହିତ ରୋଗର ଆଶଙ୍କା ବୃଦ୍ଧି ପାଏ । ଡେଙ୍ଗୁ, ମାଲେରିଆ, ଡାଇରିଆ, ହଇଜା ଓ ଟାଇଫଏଡ୍ ଭଳି ରୋଗକୁ ନେଇ ସଜାଗ ହୋଇଛି, ସ୍ୱାସ୍ଥ୍ୟ ବିଭାଗ । ଗତବର୍ଷ ଡାଇରିଆ ଓ ହଇଜାର ପ୍ରକୋପ ପରେ, ଚଳିତ ବର୍ଷ ଆଗୁଆ ପ୍ରସ୍ତୁତି,ଆରମ୍ଭ ହୋଇଛି । ଜିଲ୍ଲା ଗୁଡ଼ିକୁ ଆଲର୍ଟ ଜାରି କରାଯିବା ସହ, ଔଷଧ, ପରୀକ୍ଷା କିଟ୍ ଓ ହସ୍ପିଟାଲ ବ୍ୟବସ୍ଥାକୁ ସୁଦୃଢ଼ କରାଯାଇଛି । ସେପଟେ ଡେଙ୍ଗୁ ଓ ମ୍ୟାଲେରିଆ ପାଇଁ ସ୍ୱତନ୍ତ୍ର ସର୍ଭିଲାନ୍ସ, ଆଉ ଡାଇରିଆ ରୋକିବାକୁ ‘ଷ୍ଟପ୍ ଡାଇରିଆ କ୍ୟାମ୍ପେନ୍’ ଜୋରଦାର କରାଯାଇଛି ।




