ଆଲୋଚନା ଓ ଚୁକ୍ତିର ରାସ୍ତା ଖୋଲା

ଭୁବନେଶ୍ୱର,ଲଗାତାର ୧୩ ଦିନ ଧରି ପ୍ରତିଦିନ ଏୟାର୍ ଷ୍ଟ୍ରାଇକ୍ କରିବା ପରେ ଶୁକ୍ରବାର ପ୍ରଥମ ଥର ପାଇଁ ଟ୍ରମ୍ପ ଆମେରିକୀୟ ସେନାକୁ ନୂଆ ଆକ୍ରମଣ ନକରିବାକୁ, ନିର୍ଦ୍ଦେଶ ଦେଇଛନ୍ତି। ଇରାନ ସହିତ ଆଲୋଚନାକୁ ଆଗକୁ ବଢ଼ାଇବା ପାଇଁ ଏହି ନିଷ୍ପତ୍ତି ନିଆଯାଇଥିବା,ବିଚାର କରାଯାଉଛି।ଶୁକ୍ରବାର ଓମାନର ଏକ ପ୍ରତିନିଧିମଣ୍ଡଳୀ, ଇରାନର ରାଜଧାନୀ ତେହେରାନରେ, ପହଞ୍ଚିଥିଲେ। ଏହି ସମୟରେ ଦୁଇ ଦେଶ ମଧ୍ୟରେ ବିଶ୍ୱର ଅନ୍ୟତମ ଗୁରୁତ୍ୱପୂର୍ଣ୍ଣ ସାମୁଦ୍ରିକ ବ୍ୟବସାୟିକ ମାର୍ଗ ‘ଷ୍ଟ୍ରେଟ୍ ଅଫ୍ ହର୍ମୁଜ୍’କୁ ପୁନର୍ବାର ସମ୍ପୂର୍ଣ୍ଣ ଖୋଲିବା ନେଇ ଆଲୋଚନା ହୋଇଥିଲା।ସପ୍ତାହାନ୍ତ ସୁଦ୍ଧା ଓମାନ ଏବଂ ଇରାନ ମଧ୍ୟରେ ଏକ ଚୁକ୍ତି ହୋଇପାରେ। ଏହାପରେ ରାଷ୍ଟ୍ରପତି ଟ୍ରମ୍ପ ଏହି ପ୍ରସ୍ତାବକୁ ଗ୍ରହଣ କରିବେ କି ନାହିଁ, ତାହା ସ୍ଥିର କରିବେ। ଯଦିଓ ଆମେରିକା ବର୍ତ୍ତମାନ ପାଇଁ ନୂଆ ବିମାନ ଆକ୍ରମଣ କରିନାହିଁ, କିନ୍ତୁ ତାର ସେନା ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛି।ଗତ ଦୁଇ ସପ୍ତାହ ଧରି ପ୍ରତିଦିନ ଆମେରିକୀୟ ସାମରିକ ଅଧିକାରୀମାନେ, ଟ୍ରମ୍ପଙ୍କ ନିକଟରେ ଆକ୍ରମଣର ଯୋଜନା ଉପସ୍ଥାପନ କରୁଥିଲେ ଏବଂ କିଛି ଘଣ୍ଟା ମଧ୍ୟରେ, ତାହା କାର୍ଯ୍ୟକାରୀ ହେଉଥିଲା।କିନ୍ତୁ ଶୁକ୍ରବାର ଯେତେବେଳେ ସେନା ନୂଆ କାର୍ଯ୍ୟାନୁଷ୍ଠାନର ପ୍ରସ୍ତାବ ଦେଲା, ଟ୍ରମ୍ପ ତାହାକୁ ମଞ୍ଜୁରୀ ନଦେଇ ଆକ୍ରମଣ ରୋକିବାକୁ ନିର୍ଦ୍ଦେଶ ଦେଇଥିଲେ। ହ୍ୱାଇଟ୍ ହାଉସ୍ରେ ସାମ୍ବାଦିକମାନଙ୍କ ସହ କଥାବାର୍ତ୍ତା ବେଳେ, ଟ୍ରମ୍ପ କହିଛନ୍ତି ଯେ ଆମେରିକା ପାଖରେ ଇରାନ ଉପରେ ଆହୁରି ବଡ଼ ଆକ୍ରମଣ କରିବାର, ପୂର୍ଣ୍ଣ କ୍ଷମତା ରହିଛି।




