Uncategorized

ପୁଣି ଧର୍ମେନ୍ଦ୍ରଙ୍କ ଇସ୍ତଫା ଦାବି କଲେ ନବୀନ

ଭୁବନେଶ୍ୱର: “ଆଉ ବିଳମ୍ବ ନକରି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ତୁରନ୍ତ ଇସ୍ତଫା ଦେବା ଉଚିତ। ଏହା ସାରା ଦେଶର ଦାବି।” ନୂଆଦିଲ୍ଲୀ ଗସ୍ତରୁ ଫେରିବା ପରେ ଆଜି ପୁନର୍ବାର କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କ ଇସ୍ତଫା ଦାବି ଦୋହରାଇଛନ୍ତି ବିଜେଡି ସୁପ୍ରିମୋ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ। ନବୀନଙ୍କ ଏହି ବ୍ୟାନ ପରେ ରାଜ୍ୟ ରାଜନୀତି ବେଶ୍‌ ସରଗରମ ହୋଇଉଠିଛି। ବିଜେଡି ସୁପ୍ରିମୋଙ୍କ ଏହି କଟାକ୍ଷ ପରେ ରାଜ୍ୟ ବିଜେପି ମଧ୍ୟ କାଉଣ୍ଟର ଆଟାକ୍ ଆରମ୍ଭ କରିଦେଇଛି। ବିଜେପି ସାଂସଦ ଓ ରାଜ୍ୟ ସରକାରଙ୍କ ମନ୍ତ୍ରୀମାନେ ଜଣଙ୍କ ପରେ ଜଣେ ନବୀନଙ୍କୁ କଡ଼ା ଭାଷାରେ ସମାଲୋଚନା କରିବାରେ ଲାଗିଛନ୍ତି। ଖବରଦାତାଙ୍କ ସହ ଆଲୋଚନା ବେଳେ ନବୀନ କହିଛନ୍ତି, “ଗତକାଲି ନୂଆଦିଲ୍ଲୀରେ ମୁଁ ଯାହା କହିଥିଲି, ଆଜି ସେହି ମତକୁ ଦୋହରାଉଛି। NEET ପ୍ରଶ୍ନପତ୍ର ଲିକ୍‌ ଏବଂ ଶିକ୍ଷା ବ୍ୟବସ୍ଥାରେ ସଂସ୍କାର ଦାବି ନେଇ ସାରା ଦେଶରେ ଜନଅସନ୍ତୋଷ ବ୍ୟାପିବାରେ ଲାଗିଛି। ପ୍ରଶ୍ନପତ୍ର ଲିକ୍‌ ଓ ପରବର୍ତ୍ତୀ ପରିସ୍ଥିତିକୁ ନେଇ ସମଗ୍ର ଦେଶ ଆଜି ସ୍ତବ୍ଧ। ନୂଆଦିଲ୍ଲୀ ଏବଂ ଓଡ଼ିଶା ସମେତ ଦେଶର ବିଭିନ୍ନ ଭାଗରେ ବିକ୍ଷୋଭ ପ୍ରଦର୍ଶନ ଚାଲିଛି। କେବଳ ଭାରତ ନୁହେଁ, ବିଦେଶରେ ଥିବା ଭାରତୀୟ ଦୂତାବାସଗୁଡ଼ିକ ଆଗରେ ମଧ୍ୟ ପ୍ରତିବାଦ କରାଯାଉଛି। ତେଣୁ ସାରା ଦେଶର ଦାବିକୁ ସମ୍ମାନ ଦେଇ କେନ୍ଦ୍ର ଶିକ୍ଷାମନ୍ତ୍ରୀ ନିଜ ପଦରୁ ଇସ୍ତଫା ଦେବା ଉଚିତ।”

Related Articles

Back to top button