ରଥଯାତ୍ରା ପରିଚାଳନା ତ୍ରୁଟି ପାଇଁ ଶ୍ରୀମନ୍ଦିର ପ୍ରଶାସକ ଅନୁତପ୍ତ ହେବା ଉଚିତ : ଭକ୍ତ ଦାସ

ମୋବାଇଲ ନ୍ୟୁଜ 24×7; ଚଳିତ ବର୍ଷ ମହାପ୍ରଭୁ ଜଗନ୍ନାଥଙ୍କ ରଥଯାତ୍ରା ପରିଚାଳନାରେ ବ୍ୟାପକ ତ୍ରୁଟି ହୋଇଛି । ଏହାଯୋଗୁଁ ରାଜ୍ୟବାସୀଙ୍କ ଭାବାବେଗରେ ଦାରୁଣ ଆଘାତ ହୋଇଥିବା କହିଛନ୍ତି ଓପିସିସି ସଭାପତି ଭକ୍ତ ଦାସ । ଗଣମାଧ୍ୟମକୁ ସମ୍ବୋଧିତ କରି ଭକ୍ତ କହିଛନ୍ତି ଯେ, ମହାପ୍ରଭୁ ଜଗନ୍ନାଥ ଓଡ଼ିଶାର ସମସ୍ତ ଜନତାଙ୍କ ଭାବାବେଗ ସହ ଜଡିତ ଏବଂ ରଥଯାତ୍ରା ପର୍ବ ପାଇଁ କେବଳ ଓଡିଶାରୁ ନୁହେଁ ବିଦେଶରୁ ମଧ୍ୟ ଲକ୍ଷ ଲକ୍ଷ ଭକ୍ତଙ୍କ ସମାଗମ ହୁଏ । କିନ୍ତୁ ଏ ସରକାର କ୍ରମାଗତ ଭାବରେ ତିନି ବର୍ଷ ହେଲା ଜଗନ୍ନାଥଙ୍କ ରଥଯାତ୍ରା ପରିଚାଳନାରେ ଗୁରୁତର ତ୍ରୁଟି କରି ମହାପ୍ରଭୁ ଜଗନ୍ନାଥଙ୍କ ଶ୍ରୀମୁଖକୁ ଶ୍ରୀହୀନ କରି ଦେଇଛନ୍ତି । ପରିତାପର ବିଷୟ ସରକାର ଲୋକଙ୍କ ଭାବାବେଗକୁ ଖାତିର କରୁ ନାହାନ୍ତି ।
ଏ ବର୍ଷ ରଥଯାତ୍ରାରେ ମହାପ୍ରଭୁ ଜଗନ୍ନାଥ ଶ୍ରୀମନ୍ଦିରରୁ ବିନା ଟାହିଆରେ ରଥାରୁଢ଼ ହେଲେ କ୍ଷ ରଥଯାତ୍ରା ଓ ବାହୁଡ଼ାରେ ଟାହିଆ ବ୍ୟବହାର କରିବା ବାଧ୍ୟତାମୂଳକ ଶାସ୍ତ୍ରୀୟ ପରମ୍ପରା ରହି ଆସିଛି ଏବଂ ଶହ ଶହ ବର୍ଷ ଧରି ବିନା ବ୍ୟତିକ୍ରମରେ ଚାଲି ଆସିଅଛି । କିନ୍ତୁ ଏଥର ଟାହିଆ ପ୍ରଭୁ ବ୍ୟବହାର କରି ପାରିଲେ ନାହିଁ । ପରମ୍ପରାରେ ଅବହେଳା ଘଟିଲା କାହିଁକି? ଏହି ଗୁରୁତର ନୀତିକାନ୍ତି ତ୍ରୁଟି ସମସ୍ତ ରାଜ୍ୟବାସୀଙ୍କୁ ହତବାକ କରିବା ସହ ଅତ୍ୟନ୍ତ ବ୍ୟଥିତ କରିଛି । ମନ୍ଦିର ପ୍ରଶାସକ ଅରବିନ୍ଦ ପାଢ଼ୀ ଜଣେ ସଚ୍ଚୋଟ ଓ ନିଷ୍ଠାବାନ ଆଇଏଏସ ଅଫିସର କିନ୍ତୁ କାହାର ପରାମର୍ଶ କ୍ରମେ ଶ୍ରୀ ଜଗନ୍ନାଥଙ୍କୁ ଟାହିଆ ପିନ୍ଧିବାରୁ ବଞ୍ଚିତ କରାଗଲା ? ଏଥିପାଇଁ ଅରବିନ୍ଦ ଅନୁତପ୍ତ ହେବା ଉଚିତ ବୋଲି ଭକ୍ତ କହିଛନ୍ତି ।
ସେ ପୁଣି କହିଥିଲେ, ବହୁ ଆଡମ୍ବର ମଧ୍ୟରେ ପ୍ରସ୍ତୁତି ସଭା ହେଉଥିଲେ ବି ଫଳାଫଳ ଆପଣଙ୍କ ସାମ୍ନାରେ । ଅତ୍ୟାଧୁନିକ ଏଆଇ କ୍ୟାମେରା ଖଞ୍ଜାଯାଇ ମଧ୍ୟ ଭିଡ଼ ନିୟନ୍ତ୍ରଣରେ ଫେଲ ମାରିଛନ୍ତି ସରକାର । ଦଳା ଚକଟାରେ ତିନି ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ପ୍ରାୟ ୧୫୦ ଜଣ ଆହତ ହୋଇ ଚିକିତ୍ସିତ ହେଉଛନ୍ତି । ଏପଟେ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ବେପରୁଆ ମନ୍ତବ୍ୟ ଦଳଚକଟା ଘଟଣା ଘଟିନି ଦେବା ସରକାରଙ୍କ ଅମାନବୀୟତା ଏବଂ ଉତ୍ତର ଦାୟିତ୍ୱ ହୀନତା ଦର୍ଶାଉଛି । ମହାପ୍ରଭୁଙ୍କ ରତ୍ନ ଭଣ୍ଡାର ରହସ୍ୟ ଖୋଲି ପାରିଲା ନାହିଁ । ଜଗନ୍ନାଥ ମନ୍ଦିର ପରିଚାଳନାର ସମସ୍ତ କ୍ଷେତ୍ରରେ ବିଭ୍ରାଟର ଅନୁସନ୍ଧାନ ହେବା ଉଚିତ ବୋଲି ଭକ୍ତ କହିଛନ୍ତି । ରାଜ୍ୟବାସୀଙ୍କ ତରଫରୁ ସେ କଂଗ୍ରେସର ଦାବୀ ଉପସ୍ଥାପନ କରି କହିଛନ୍ତି ଯେ, ତିନିବର୍ଷର ରଥଯାତ୍ରା ବିଭ୍ରାଟର ପରିଚାଳନା ପାଇଁ ଦାୟୀଥିବା ମନ୍ତ୍ରୀ ଓ ଅଫିସରଙ୍କ ବିରୁଦ୍ଧରେ ଦୃଢ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ । ମୃତ ଓ ଆହତ ଭକ୍ତଙ୍କୁ ଉପଯୁକ୍ତ କ୍ଷତିପୂରଣ ତୁରନ୍ତ ପ୍ରଦାନ କରାଯାଉ । ଜଗନ୍ନାଥଙ୍କ କାର୍ୟ୍ୟରେ ଅବହେଳା ପ୍ରଦର୍ଶନ କରି କୋଟି କୋଟି ଭକ୍ତଙ୍କ ଭାବାବେଗକୁ ଆଘାତ ଦେଲେ ପରିଣାମ ନିଶ୍ଚୟ ଦୁଷ୍କର ହେବ ବୋଲି ଭକ୍ତ ସୂଚାଇ ଦେଇଛନ୍ତି ।ଏହି ପ୍ରେସ ବାର୍ତ୍ତାରେ କଂଗ୍ରେସ ଗଣମାଧ୍ୟମ ସଂଯୋଜକ ମୁଖ୍ୟ ଅରବିନ୍ଦ ମହାପାତ୍ରଙ୍କ ସମେତ ୨ ମୁଖପାତ୍ର ଦେବାଶିଷ ଭୂୟାଁ ଓ ଜୟଶ୍ରୀ ପାତ୍ର ମଧ୍ୟ ଉପସ୍ଥିତ ଥିଲେ ।




