Uncategorized

ଚନ୍ଦ୍ରଶେଖରପୁରରେ ପୁଣି ଗ୍ୟାଙ୍ଗ୍ ୱାର୍, ଖଣ୍ଡା ଚୋଟରେ ୨ ଗୁରୁତର

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଆଇନଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ ହୋଇପଡ଼ିଛି। କମିଶନରେଟ୍ ପୁଲିସକୁ ଖୋଲା ଚ୍ୟାଲେଞ୍ଜ ଦେଇ ଚନ୍ଦ୍ରଶେଖରପୁର ଥାନା ଅଞ୍ଚଳରେ ପୁଣିଥରେ ମାରଣାସ୍ତ୍ର ବୁଲିଛି। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଘଟି ଦୁଇ ଜଣ ଯୁବକ ଗୁରୁତର ହୋଇଛନ୍ତି। ମାତ୍ର ୪୮ ଘଣ୍ଟା ମଧ୍ୟରେ ସମାନ ଅଞ୍ଚଳରେ ଦୁଇ ଦୁଇ ଥର ଗ୍ୟାଙ୍ଗ୍ ୱାର୍ ହେବା ସ୍ଥାନୀୟ ଅଞ୍ଚଳରେ ତୀବ୍ର ଆତଙ୍କ ଓ ଅସନ୍ତୋଷ ସୃଷ୍ଟି କରିଛି। ସୂଚନା ଅନୁଯାୟୀ, ଗତକାଲି ରାତି ପ୍ରାୟ ସାଢ଼େ ୯ଟା ସମୟରେ ନୀଳାଦ୍ରିବିହାର ସ୍ଥିତ ବୁଦ୍ଧ ବିହାର ଏବଂ ଇଶାନେଶ୍ୱର ବସ୍ତି ଅଞ୍ଚଳରେ ଏହି ଭୟାବହ କାଣ୍ଡ ଘଟିଛି। ପ୍ରାୟ ୧୫ରୁ ଅଧିକ ମୁଖାପିନ୍ଧା ଦୁର୍ବୃତ୍ତ ହାତରେ ଖଣ୍ଡା, ଭୁଜାଲି ଭଳି ମାରଣାସ୍ତ୍ର ଧରି ହଠାତ୍ ବୁଦ୍ଧ ବିହାର ଭିତରକୁ ପ୍ରବେଶ କରିଥିଲେ। ଦୁର୍ବୃତ୍ତମାନେ ସେଠାରେ ଉନ୍ମତ୍ତ କାଣ୍ଡ ଘଟାଇବା ସହ ସାମ୍ନାକୁ ଯିଏ ଆସିଲା ତାକୁ ଗୋଡ଼ାଇ ଗୋଡ଼ାଇ ପିଟିବା ସହ ଖଣ୍ଡାରେ ଆକ୍ରମଣ କରିଥିଲେ। ଏହି ସଂଘବଦ୍ଧ ଆକ୍ରମଣରେ ଦୁଇ ଜଣ ଯୁବକ ରକ୍ତାକ୍ତ ହୋଇଥିବା ବେଳେ ସେମାନଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଆକ୍ରମଣ କରିବା ପରେ ଦୁର୍ବୃତ୍ତମାନେ ସେଠାରୁ ଫେରାର ହୋଇଯାଇଛନ୍ତି।

Related Articles

Back to top button