ବଙ୍ଗୋପସାଗରରେ ଲଘୁଚାପ ସକ୍ରିୟ: ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା


ଭୁବନେଶ୍ବର: ବଙ୍ଗୋପସାଗରରେ ଏକ ସକ୍ରିୟ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଏବଂ ସଂଲଗ୍ନ ଉତ୍ତର ଓଡ଼ିଶା-ପଶ୍ଚିମବଙ୍ଗ ଉପକୂଳରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ପ୍ରଭାବରେ ଏହି ଲଘୁଚାପ କ୍ଷେତ୍ରଟି ସକ୍ରିୟ ହୋଇଛି। ଏହା ସହିତ ଜଡ଼ିତ ଘୂର୍ଣ୍ଣିବଳୟଟି ସମୁଦ୍ର ପତ୍ତନଠାରୁ ୭.୬ କିଲୋମିଟର ଉଚ୍ଚତା ପର୍ଯ୍ୟନ୍ତ ବ୍ୟାପିବା ସହ ଦକ୍ଷିଣ-ପଶ୍ଚିମ ଆଡ଼କୁ ଢଳି ରହିଛି। ଆଗାମୀ ୨ ରୁ ୩ ଦିନ ମଧ୍ୟରେ ଏହା ଆହୁରି ଘନୀଭୂତ ହେବାର ସମ୍ଭାବନା ରହିଛି। ଏହି ଲଘୁଚାପ ପ୍ରଭାବରେ ଆଜିଠାରୁ ବିଶେଷ କରି ଓଡ଼ିଶା, ଝାଡ଼ଖଣ୍ଡ, ଗାଙ୍ଗେୟ ପଶ୍ଚିମବଙ୍ଗ ଏବଂ ଛତିଶଗଡ଼ରେ ବର୍ଷାର ପରିମାଣ ବଢ଼ିବ। ଆଗାମୀ ୩ ରୁ ୪ ଦିନ ମଧ୍ୟରେ ରାଜ୍ୟର କେତେକ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ଆଶଙ୍କା ରହିଛି। ବିଶେଷ କରି ଦକ୍ଷିଣ ଓଡ଼ିଶାରେ ଅଧିକ ବର୍ଷା ହେବା ସହ କେତେକ ତଳିଆ ଅଞ୍ଚଳ ଜଳମଗ୍ନ ହେବାର ସ୍ଥିତି ଉପୁଜିପାରେ। ସମ୍ଭାବ୍ୟ ସ୍ଥିତିକୁ ଦୃଷ୍ଟିରେ ରଖି କିଛି ଜିଲ୍ଲା ପାଇଁ ‘ରେଡ୍ ଆଲର୍ଟ’ ମଧ୍ୟ ଜାରି କରାଯାଇଛି। ଅପରପକ୍ଷରେ, ଏହି ପ୍ରଭାବରେ ଏବେଠାରୁ ହିଁ ରାଜ୍ୟର ବିଭିନ୍ନ ସ୍ଥାନରେ ତୁହାକୁ ତୁହା ବର୍ଷା ଆରମ୍ଭ ହୋଇଗଲାଣି।




