ଚୋରି ସନ୍ଦେହରେ ଯୁବକଙ୍କୁ ବିଦ୍ୟୁତ ଖୁଣ୍ଟରେ ବାନ୍ଧି ନିସ୍ତୁକ ମାଡ଼, ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ


ଭୁବନେଶ୍ବର: ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅଞ୍ଚଳରେ ଏକ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି। ଚୋରି ସନ୍ଦେହରେ ଜଣେ ଯୁବକଙ୍କୁ ଗାଁ ଦାଣ୍ଡରେ ବିଦ୍ୟୁତ ଖୁଣ୍ଟରେ ବାନ୍ଧି ନିସ୍ତୁକ ମାଡ଼ ମରାଯାଇଥିବା ଅଭିଯୋଗ ହୋଇଛି। ପରବର୍ତ୍ତୀ ସମୟରେ ଚିକିତ୍ସାଧୀନ ଅବସ୍ଥାରେ ଯୁବକଙ୍କର ମୃତ୍ୟୁ ଘଟିଛି। ମୃତ ଯୁବକଜଣକ ହେଲେ ବାଣପୁର ଥାନା ଭୀମପୁର ଗାଁ ବାଘୁଆ ପଦର ସାହିର ଭିକାରୀ ନାୟକଙ୍କ ପୁଅ ତୋଫାନ ନାୟକ (୩୨)। ଯୁବକଙ୍କୁ ମାଡ଼ ମରାଯାଉଥିବାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହି ଘଟଣାକୁ ନେଇ ମୃତକଙ୍କ ମାଆ ସଙ୍ଗୀନ ଅଭିଯୋଗ ଆଣିଥିବା ବେଳେ ପୋଲିସ ମାମଲାର ତଦନ୍ତ ଆରମ୍ଭ କରିଛି। ଗତ ଜୁନ୍ ୨୮ ତାରିଖ ଅପରାହ୍ନ ପ୍ରାୟ ୪ଟା ସମୟରେ ବାଣପୁର ଥାନା ଖଣତ ପଞ୍ଚାୟତର ପୂର୍ବତନ ସରପଞ୍ଚ ଶେଷଦେବ ପ୍ରଧାନଙ୍କ ଘରୁ ଚୋରି ସନ୍ଦେହରେ ଗାଁ ଲୋକେ ତୋଫାନଙ୍କୁ କାବୁ କରିଥିଲେ। ତାଙ୍କୁ ଖଣତ ଗାଁ ଦାଣ୍ଡରେ ଏକ ବିଦ୍ୟୁତ ଖୁଣ୍ଟରେ ବାନ୍ଧି ଅମାନୁଷିକ ଭାବେ ମାଡ଼ ମରାଯାଇଥିଲା। ‘୧୧୨’ ଜରୁରୀକାଳୀନ ନମ୍ବରରୁ ସୂଚନା ପାଇ ବାଣପୁର ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଯୁବକଙ୍କୁ ଉଦ୍ଧାର କରି ଥାନାକୁ ଆଣିଥିଲା। ଏହାପରେ ପୋଲିସ ପରିବାର ଲୋକଙ୍କୁ ଡାକି ତୋଫାନଙ୍କୁ ସେମାନଙ୍କ ହସ୍ତାନ୍ତର କରିଥିଲା। ମୃତ ତୋଫାନଙ୍କ ମାଆ ସଚଳା ନାୟକଙ୍କ କହିବା ଅନୁସାରେ, ଘରକୁ ଫେରିବା ପରେ ସେହିଦିନ ରାତିରେ ତୋଫାନ ରକ୍ତ ବାନ୍ତି କରିବା ସହ ଅତ୍ୟଧିକ ଅସୁସ୍ଥ ହୋଇପଡ଼ିଥିଲେ। ଗତକାଲି (ଜୁନ୍ ୨୯) ସକାଳ ୬ଟାରେ ତାଙ୍କୁ ବାଣପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା, ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ସକାଳ ୧୦ଟା ୨୫ ମିନିଟ୍ରେ ତୋଫାନଙ୍କ ମୃତ୍ୟୁ ହୋଇଛି।



