
ଭୁବନେଶ୍ୱର,ସରକାର କହିଛନ୍ତି ଯେ କେବଳ ଭାରତୀୟ ନାଗରିକଙ୍କୁ ପାସପୋର୍ଟ ପ୍ରଦାନ କରାଯାଇଥାଏ; ମାତ୍ର ଏହା ନାଗରିକତାର ପ୍ରମାଣପତ୍ର ନୁହେଁ। ସରକାରଙ୍କ ଏପରି ମନ୍ତବ୍ୟ ପରେ ନାଗରିକତାର ପରିଚୟପତ୍ରକୁ ନେଇ, ସୋସିଆଲ ମିଡିଆରେ, ବ୍ୟାପକ ଚର୍ଚ୍ଚା ଆରମ୍ଭ ହୋଇଛି। ସରକାର କହିଛନ୍ତି ଯେ ପାସ୍ପୋର୍ଟ ସମ୍ପୃକ୍ତ ବ୍ୟକ୍ତିର ସମ୍ପତ୍ତି ନୁହେଁ। ଏହା ସରକାରଙ୍କର ସମ୍ପତ୍ତି। ସରକାର ଯେତେବେଳେ ଏହାକୁ ହସ୍ତାନ୍ତର କରିବାକୁ ନିର୍ଦେଶ ଦେବେ, ସମ୍ପୃକ୍ତ ବ୍ୟକ୍ତି ଏହାକୁ ସରକାରଙ୍କ ନିକଟରେ ଜମା କରିବାକୁ ବାଧ୍ୟ। ନାଗରିକତ୍ବ ଆଇନ ଅନୁଯାୟୀ, ଜଣେ ବ୍ୟକ୍ତି ଯଦି ୧୯୫୦ ଜାନୁଆରୀ ୨୬ରୁ ୧୯୮୭ ଜୁଲାଇ ୧ ମଧ୍ୟରେ ଭାରତରେ ଜନ୍ମ ହୋଇଥାଏ ତେବେ ସେ ଭାରତୀୟ ବିବେଚିତ ହେବେ। ୧୯୮୭ ଜୁଲାଇ ୧ ପରେ ଯେଉଁମାନେ ଭାରତରେ ଜନ୍ମ ହୋଇଛନ୍ତି ସେମାନେ ଭାରତର ନାଗରିକତ୍ବ ପାଇଁ, ଦାବି କରିପାରିବେ। ଏଥିପାଇଁ ସମ୍ପୃକ୍ତ ବ୍ୟକ୍ତିଙ୍କ ପିତାମାତାଙ୍କ ମଧ୍ୟରେ କେହି ଜଣେ, ଭାରତୀୟ ହୋଇଥିବା ଦରକାର। ବୁଧବାର ୧୪ତମ ପାସପୋର୍ଟ ସେବା ଦିବସ ପାଳନ ଅବସରରେ ସରକାର ପକ୍ଷରୁ ଏପରି କୁହାଯାଇଛି।ଚଳିତବର୍ଷ ଏସ୍ଆଇଆର ବିବାଦ ଉପରେ, ସୁପ୍ରିମକୋର୍ଟରେ ଶୁଣାଣି ସମୟରେ କୁହାଯାଇଥିଲା ଯେ ଆଧାର କାର୍ଡ ବ୍ୟକ୍ତିର ନାଗରିକତାର ପ୍ରମାଣପତ୍ର ନୁହେଁ। ଭୋଟର କାର୍ଡ ମଧ୍ୟ ନାଗରିକତାର ପ୍ରମାଣପତ୍ର ନୁହେଁ। ପାସପୋର୍ଟ, ଆଧାର, ଭୋଟର କାର୍ଡ ଆଦି ବ୍ୟକ୍ତିର ପରିଚୟ ପତ୍ର ଯାହାକୁ ମତଦାନ ସମୟରେ, ଉପସ୍ଥାପନ କରିବାକୁ ପଡିଥାଏ।




